ମହାନଦୀ ଜଳବିବାଦ: ଉଭୟ ରାଜ୍ୟ ଗସ୍ତ କରିବେ ବୈଷୟିକ ଟିମ୍‌, ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡ଼ିଶା ଓ ପଡ଼ୋଶର ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଶନିବାର ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ୍‌ ୨ ରାଜ୍ୟ ଗସ୍ତ କରିବେ। ଏହାପରେ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଟ୍ରିବ୍ୟୁନାଲ୍‌ରେ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି।

ଶନିବାର ହୋଇଥିବା ଶୁଣାଣିରେ ଉଭୟ ରାଜ୍ୟ ନିଜ ନିଜ ପକ୍ଷ ରଖିଥିଲେ। ପରେ ଉଭୟ ରାଜ୍ୟ ବୈଷୟିକ ଟିମ୍‌ ୨ ରାଜ୍ୟ ଗସ୍ତ କରିବେ। ଅକ୍ଟୋବର ୩୦ରୁ ନଭେମ୍ବର ୨ ମଧ୍ୟରେ ଛତିଶଗଡ଼କୁ ଓଡ଼ିଶା ଟିମ୍‌ ପରିଦର୍ଶନରେ ଯିବେ। ଏହାପରେ ନଭେମ୍ବର ୧୧ରୁ ୧୯ ମଧ୍ୟରେ ଛତିଶଗଡ଼ ଟିମ୍‌ ଓଡ଼ିଶା ଗସ୍ତରେ ଆସିବେ। ଏହି ପ୍ରକ୍ରିୟା ସରିବା ପରେ ଚୂଡ଼ାନ୍ତ ରାୟ ଦିଆଯିବ। ଏଣୁ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପୂର୍ବରୁ ମହାନଦୀ ଜଳର ସମାନ ବଣ୍ଟନ ପାଇଁ ଛତିଶଗଡ଼ ପକ୍ଷରୁ ପିଟିଶନ ଦାୟର କରାଯାଇଥିଲା। ଏହା ଉପରେ ମତ ରଖିବା ପାଇଁ ପୂର୍ବ ଶୁଣାଣିରେ ଟ୍ରିବ୍ୟୁନାଲ ଦୁଇ ପକ୍ଷକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସମାନ ଭାବେ ଜଳ ବଣ୍ଟନ କଥାକୁ ଓଡ଼ିଶା ଗ୍ରହଣ କରୁନାହିଁ। ତେବେ ଟ୍ରିବ୍ୟୁନାଲ ଶୁଣାଣି ପୂର୍ବରୁ ଓଡ଼ିଶା ଏବଂ ଛତିଶଗଡ଼ର ପ୍ରତିନିଧି ଦଳ ଓଡ଼ିଶା ଭବନଠାରେ ଏକ ବୈଠକ କରିଥିଲେ।

Share