ମହାନଦୀ ବସ୍‌ ଦୁର୍ଘଟଣାକୁ ବର୍ଷେ ପୂରିଲା: ସାର୍ବଜନୀନ ହୋଇନି ତଦନ୍ତ ରିପୋର୍ଟ

କଟକ ଅଫିସ, ୨୦-୧୧:୨୦୧୮ ନଭେମ୍ବର ୨୦। ସେଦିନ ଥାଏ ମଙ୍ଗଳବାର। ସନ୍ଧ୍ୟା ପାଖାପାଖି ସାଢେ ୬ଟା। ବଡ଼ଓଷା ପାଇଁ ଲୋକେ ପ୍ରସ୍ତୁତ ହେଉଥିବାବେଳେ ଆସିଲା ଅତ୍ୟନ୍ତ ଦୁଃଖଦାୟକ ଖବର। ତାଳଚେରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ (ନଂ. ଓଡି୩୫ଏ-୦୨୧୧) ମହାନଦୀ ପୋଲ ବାଡ଼ାକୁ ଭାଙ୍ଗି ୩୦ ଫୁଟ ତଳକୁ ଖସି ପଡ଼ିଥିଲା। ନଦୀରେ ପାଣି ନ ଥିଲେ ମଧ୍ୟ ବସ୍‌ଟି ବାଲିରେ ପଲ୍‌ଟା ମାରି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁସଂଖ୍ୟା ୧୧ ଛୁଇଁଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଚିକିତ୍ସା ଲାଗି ସେମାନଙ୍କୁ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। କାନ୍ଦବୋବାଳିରେ ଫାଟି ପଡ଼ୁଥିଲା ଏସ୍‌ସିବି ମେଡିକାଲ। ସ୍ତବ୍ଧ ହୋଇଯାଇଥିଲା କଟକ ସହର ସମେତ ସମଗ୍ର ରାଜ୍ୟ। ଘଟଣାଟି ଜାତୀୟ ଗଣମାଧ୍ୟମର ମଧ୍ୟ ପୃଷ୍ଠା ମଣ୍ଡନ କରିଥିଲା। ଇତିମଧ୍ୟରେ ଉକ୍ତ ଘଟଣାକୁ ବର୍ଷେ ବିତିଛି। ଲୋକେ ସେଦିନର ସେହି ହୃଦୟବିଦାରକ ଦୃଶ୍ୟକୁ ମନେପକାଉଥିବାବେଳେ ଭବିଷ୍ୟତରେ ସେଭଳି ଘଟଣା ନ ଘଟିବା ପାଇଁ ମଧ୍ୟ ଶୁଭ ମନାସୁଛନ୍ତି। ଏହି ବର୍ଷକ ମଧ୍ୟରେ ସରକାର ଓ ପ୍ରଶାସନ ଏଭଳି ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେତେଦୂର ଯନତ୍ବାନ୍‌ ହୋଇଛନ୍ତି ତାହା ଉପରେ ଆଖି ପକାଇଲେ ଅନେକ ନକାରାତ୍ମକ ଦିଗ ସାମ୍ନାକୁ ଆସୁଛି। ମୁଖ୍ୟତଃ ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହୋଇ ନ ଥିବାବେଳେ ପୋଲ ଉପରେ ଦ୍ରୁତଗତିରେ ଗାଡ଼ି ଚଳାଚଳ ନ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଯେଉଁ ସ୍ଥାନରେ ବସ୍‌ଟି ବାଡ଼ା ଭାଙ୍ଗି ଖସି ପଡ଼ିଥିଲା ଉକ୍ତ ସ୍ଥାନର ସ୍ଥାୟୀ ମରାମତି କରାଯାଇନାହିଁ। ମହାନଦୀ ପୋଲ ଆରମ୍ଭରୁ ଆକ୍ସିଡେଣ୍ଟ ପ୍ରୋନ ଏରିଆ ଲେଖିବା ପାଇଁ ନିଷ୍ପତ୍ତି ଓ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରିବାକୁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇନାହିଁ। ପୋଲର ଉଭୟ ପାର୍ଶ୍ୱରେ ଡ୍ରାଇଭରମାନଙ୍କ ସଚେତନତା ପାଇଁ ବିଭିନ୍ନ ସାଙ୍କେତିକ ଲଗାଯିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହାକୁ ପାଳନ କରାଯାଇନାହିଁ। ଏହିଭଳି ସ୍ଥିତିରେ ଇତିମଧ୍ୟରେ ୧ ବର୍ଷ ବିତିଯାଇଛି।

Share