ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରୁ ପୋଲିସ ପରିଚୟ ଦେଇ ଭକ୍ତଙ୍କୁ ଉଠାଇନେଲେ ଅଜଣା ଲୋକ

ନିଶ୍ଚିନ୍ତକୋଇଲି,୪।୮(ସ୍ବ.ପ୍ର.): କଟକ ଜିଲା ନେମାଳ ଥାନା ଅଧିନସ୍ଥ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନିକଟରୁ ଜଣେ ଭକ୍ତଙ୍କୁ ପୋଲିସ ପରିଚୟ ଦେଇ ଏକ ସ୍କର୍ପିଓ ଗାଡ଼ିରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ଭୁବନେଶ୍ୱରରୁ ଶୁଭେନ୍ଦୁ ମହାପାତ୍ର ପରିବାର ସହ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠକୁ ପୂଜା କରିବାକୁ ଆସିଥିଲେ। ପୂଜାକାର୍ଯ୍ୟ ଚାଲୁଥିବା ସମୟରେ ହଠାତ୍‌ ଏକ ସ୍କର୍ପିଓରେ ୩/୪ ଜଣ ବ୍ୟକ୍ତି ପୋଲିସ ପରିଚୟ ଦେଇ ଗାଡ଼ି ନିକଟକୁ ଡାକି ଗାଡ଼ିରେ ବସାଇ ନେଇଯାଇଥିଲେ। ତେବେ ଶୁଭେନ୍ଦୁଙ୍କ ସ୍ତ୍ରୀ ଓ ପିଲାମାନେ ସେମାନଙ୍କୁ ପରିଚୟ ପଚାରିବାରୁ ସେମାନେ ପରିଚୟପତ୍ର ଦେଖାଇ ନିଜକୁ ପୋଲିସ ବୋଲି କହିଥିଲେ। ଏନେଇ ଶୁଭେନ୍ଦୁଙ୍କ ସ୍ତ୍ରୀ ନେମାଳ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯଦି ପୋଲିସ ଶୁଭେନ୍ଦୁଙ୍କୁ ନେଇଥାଏ ତେବେ ସ୍ଥାନୀୟ ଥାନାରେ କାହିଁକି ସୂଚନା ଦେଇନାହିଁ। ଶୁଭେନ୍ଦୁଙ୍କୁ କେହି ଅପହରଣ କରି ନେଇଥିବା ଅନୁମାନ କରାଯାଉଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।