Advertisement

ମହାପ୍ରଭୁଙ୍କୁ ଦର୍ଶନ କଲେ ନେପାଳ ରାଜଗୁରୁ

ପୁରୀ ଅଫିସ, ୩୧ା୭: ନେପାଳର ରାଜଗୁରୁ ତଥା ବୌଦ୍ଧିକ ସାଧକ ଅର୍ଜୁନ ପ୍ରସାଦ ବାସ୍ତୋଲା ବୁଧବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୦ଟାରେ ବାସ୍ତୋଲା ତାଙ୍କ ସହଯୋଗୀମାନଙ୍କ ସହ ଆସି ସିଂହଦ୍ୱାରରେ ପହଞ୍ଚତ୍ବା ପରେ ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟର(ଓଆଇସି) ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଓଆଇସି ଚେୟାରମ୍ୟାନ ପରେଶ ନାୟକ ଓ ପୁରୀର ଓଆଇସି ଅଧ୍ୟକ୍ଷ ଜ୍ଞାନରଞ୍ଜନ ରଥ ପୁଷ୍ପମାଲ୍ୟ ଦେଇ ବାସ୍ତୋଲାଙ୍କୁ ସମ୍ବର୍ଦ୍ଧନା ଜଣାଇ ଥିଲେ। ଏହାପରେ ବାସ୍ତୋଲା ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ।
ବାସ୍ତୋଲା କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ନେପାଳର ଘନିଷ୍ଠ ସମ୍ପର୍କ ରହିଛି। ନେପାଳ ରାଜାଙ୍କର ରତ୍ନସିଂହାସନ ପର୍ଯ୍ୟନ୍ତ ଯାଇ ପୂଜା କରିବାର ବିଧି ଅଛି। ତେଣୁ ନେପାଳବାସୀ ମହାପ୍ରଭୁଙ୍କ ନିକଟରେ ସବୁବେଳେ ଋଣୀ। ଶ୍ରୀଜଗନ୍ନାଥ ମନ୍ଦିର ତିଆରି ସମୟରେ ନେପାଳ ରାଜା ମନ୍ଦିର ପାଇଁ ଯଥେଷ୍ଟ ଧନ ସମ୍ପତ୍ତି ଦାନ କରିଥିଲେ। ସେହିପରି ଆଜି ବି ନେପାଳରୁ ପଠାଯାଉଥିବା କସ୍ତୁରୀ ଓ ଚନ୍ଦନ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଛି ବୋଲି ବାସ୍ତୋଲା ପ୍ରକାଶ କରିଥିଲେ। ତିନିଦିନିଆ ଗସ୍ତରେ ଆସିଥିବା ବାସ୍ତୋଲା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ସଭା ସହିତ ନେପାଳ ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ଗୁରୁବାର ସେ ନେପାଳ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel