ମହାପ୍ରଭୁଙ୍କୁ ଦର୍ଶନ କଲେ ବିଶ୍ୱଭୂଷଣ

ପୁରୀ ଅଫିସ, ୨୦ା୭: ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବିଶ୍ୱଭୂଷଣ ହରିଚନ୍ଦନ ଶୁକ୍ରବାର ଅପରାହ୍ନରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପ୍ରାୟ ଅଧଘଣ୍ଟା ମନ୍ଦିରରେ ବିତାଇବା ପରେ ସେ ଫେରିଥିଲେ। ସିଂହଦ୍ୱାରଠାରେ ଗଣମାଧ୍ୟମକୁ କହିଥିଲେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ମୋତେ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଠାକୁରଙ୍କୁ ଦର୍ଶନ କରି ମୋର କୃତଜ୍ଞତା ଜଣାଇଛି। ଏହାପରେ ସେ ଗୋବର୍ଦ୍ଧନ ମଠକୁ ଯାଇ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ୍‌ କରିଥିଲେ।ଏହି ଅବସରରେ ବିଶ୍ୱଭୂଷଣଙ୍କୁ ପୁରୀ ଜିଲା ନାଗରିକ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ସଦ୍‌ଭାବନା ସଭାଗୃହରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମକୁ ଜିଲା ଭାଜପା ସଭାପତି ପ୍ରଭଞ୍ଜନ ମହାପାତ୍ର ପରିଚାଳନା କରିଥିବାବେଳେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, କେନ୍ଦ୍ରୀୟ ନାରିକେଳ ବୋର୍ଡର ଉପସଭାପତି ବିଶ୍ୱନାଥ ରଥ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ଜିଲା ଯୁବ ସଭାପତି ଜୟନ୍ତ କୁମାର ଦାଶ, ସୋମନାଥ ଖୁଣ୍ଟିଆ, ମଧୁସୂଦନ ସିଂହାରୀ, ମିଡିଆ ସଂଯୋଜକ ବିଶ୍ୱଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Share