ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୬।୧: ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ୭ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନରେ ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରୁ କାର୍‌ରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଶ୍ରୀକ୍ଷେତ୍ରକୁ ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଗଢିବାକୁ ଦୀର୍ଘମିଆଦୀ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ନୂଆ ବହୁଥାକିଆ ରାସ୍ତା, ସେତୁ, ପାର୍କିଂ ଆଦିର ପରିକଳ୍ପନା କରାଯାଇଛି। ପୁରୀର ବିକାଶ ନକ୍ସାରେ ବହୁ ମେଗା ପ୍ରକଳ୍ପ ସ୍ଥାନ ପାଇଛି। ତନ୍ମଧ୍ୟରୁ ଗୁରୁବାର ୭ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପଗୁଡ଼ିକ ହେଉଛି ଶ୍ରୀସେତୁ, ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ କାର୍‌ ପାର୍କିଂ, ମ୍ୟୁନିସିପାଲିଟି ନୂତନ ମାର୍କେଟ କମ୍ପ୍ଲେକ୍ସ, ସ୍ବର୍ଗଦ୍ୱାରର ପୁନରୁଦ୍ଧାର, ସମୁଦ୍ରକୂଳରେ ଭେଣ୍ଡିଂଜୋନ ଏବଂ ମଧ୍ୟାହ୍ନଭୋଜନ ଓ ଆହାର ଯୋଜନାର କେନ୍ଦ୍ରୀକରଣ ରୋଷଶାଳା। ଏହାକୁ ନେଇ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ମୋଟ ୧ ଘଣ୍ଟା ୧୦ ମିନିଟର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ତେବେ ଏହି ଗସ୍ତକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ପୁରୀ ମେଡିକାଲ ଛକରେ ନାରାବାଜି କରାଯାଇଛି। ଘଟଣାରେ ପୋଲିସ ୩୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

Share