ମହାପ୍ରଭୁଙ୍କୁ ୧ କୋଟି ଦାନ

ପୁରୀ ଅଫିସ,୧୨ା୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଏବେ ସଂକଟରେ। ଏହି ଅର୍ଥ ଫେରିବ କି ନାହିଁ ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। ବିରୋଧ ଓ ପ୍ରତିବାଦ ଧାରା ଜାରି ରହିଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ, ଥାନା ଓ ଭିଜିଲାନ୍ସ ଅଫିସରେ ଅଭିଯୋଗ କରାଯାଇଛି। ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏଭଳି ସ୍ଥିତିରେ ମହାପ୍ରଭୁଙ୍କୁ ମିଳିଛି ୧ କୋଟି ଟଙ୍କା ଦାନ, ଯାହାକି ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏପଟେ କେତେଜଣ ଅଧିକାରୀ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ମହାପ୍ରଭୁଙ୍କ ଟଙ୍କାକୁ ବିପଦକୁ ଠେଲି ଦେଇଥିବାବେଳେ ଆଉ କିଛି ବ୍ୟକ୍ତି ବା ଅନୁଷ୍ଠାନ ରହିଛନ୍ତି ଯେଉଁମାନେ ମହାପ୍ରଭୁଙ୍କ ପାଣ୍ଠି କିପରି ବୃଦ୍ଧି ପାଇବ ସେ ଚିନ୍ତା କରୁଛନ୍ତି।
ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଦର୍ଶନ ପରେ ମହାପ୍ରଭୁଙ୍କୁ ଦାନ ଦେଇଥାନ୍ତି। ହୁଣ୍ଡିରେ ଟଙ୍କା, ପଇସା, ସୁନା, ରୁପା ଇତ୍ୟାଦି ପକାଇଥାନ୍ତି। ଏତଦ୍‌ବ୍ୟତୀତ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଡୋନେଶନ ସେଲ୍‌ ରହିଛି। ଏଠାରେ ବି ଭକ୍ତମାନେ ଦାନ ଦେଇଥାନ୍ତି। ତେବେ ମଙ୍ଗଳବାର ମହାପ୍ରଭୁଙ୍କୁ କଳିଙ୍ଗ କମର୍ସିଆଲ କର୍ପୋରେଶନ ଲିମିଟେଡ ୧ କୋଟି ଟଙ୍କା ଦାନ ଦେଇଛି। ୫୦ ଲକ୍ଷ ଟଙ୍କା ଲେଖାଏ ଦୁଇଟି ଚେକ୍‌ ଡୋନେସନ ସେଲ୍‌ରେ ଦିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଜଣାଇଛନ୍ତି।

Share