ମହାପ୍ରଭୁଙ୍କ ପାଇଁ ଆସିଲା ପୋଢୁଆଁ ଭାର

ପୁରୀ ଅଫିସ, ୧୯ା୧୧: ବୁଧବାର ପ୍ରଥମାଷ୍ଟମୀ। ପୋଢୁଆଁ ହେବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଅନ୍ୟପକ୍ଷେ ମଙ୍ଗଳବାର ସନ୍ଧ୍ୟାରେ ନିଆଳି ମାଧବ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ତେବେ ଏହାକୁ ନେଇ ଏବେ ଦ୍ୱିମତ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ମାମୁଘର ନିଆଳି ମାଧବାନନ୍ଦ ଜୀଉ ବୋଲି ଦର୍ଶାଯାଇ ସେଠାରୁ ଏହି ଭାର ଆସିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ଏହାକୁ ଭକ୍ତଙ୍କ ଦାନ ଆକାରରେ ଗ୍ରହଣ କରିଛି। ଫଳରେ ମହାପ୍ରଭୁଙ୍କ ମାମୁଘରକୁ ନେଇ ପୁଣି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ନିଆଳି ମାଧବ ମନ୍ଦିର ସେବାୟତ ତ୍ରିଲୋଚନ ପୁଷ୍ପାଳକ, ଅଶୋକ ପୁଷ୍ପାଳକ ଓ ସରୋଜ ନାୟକଙ୍କ ନେତୃତ୍ୱରେ ଗବେଷକ ଧୃତିଧର ଦାଶ, ଅରୁଣ ଆଚାର୍ଯ୍ୟ, ଆର୍ତ୍ତତ୍ରାଣ ପତି, ଶଶିଭୂଷଣ ପରିଡ଼ା, ବିଦ୍ୟାଧର ରାଉତ, ନ୍ୟାୟବ୍ରତ ରାଉତଙ୍କ ପରିଚାଳନାରେ ମଙ୍ଗଳବାର ଏକ ଶୋଭାଯାତ୍ରାରେ ନିଆଳିର ମାଧବ ମନ୍ଦିରରୁ ଏହି ଭାର ଅଣାଯାଇଛି। ଶୋଭାଯାତ୍ରାରେ ସଂକୀର୍ତ୍ତନ ଦଳ, ରାଧାକୃଷ୍ଣ ନୃତ୍ୟ ଦଳ, ରାସ ଦଳ, ଗବେଷକ, ପ୍ରବଚକ, ଜଗତ୍‌ସିଂହପୁରସ୍ଥିତ ଶ୍ରୀଜଗନ୍ନାଥ ଚେତନା ସୁରକ୍ଷା ପରିଷଦ, ନିଆଳି ମାଧବଜୀଉ ବିକାଶ ପରିଷଦ, ମାଧବାନନ୍ଦ ଜୀଉ ଟ୍ରଷ୍ଟ ବୋର୍ଡର ଶତାଧିକ ଭକ୍ତ ସାମିଲ ଥିଲେ। ଗୁଣ୍ଡିଚା ମନ୍ଦିର ନିକଟରେ ଏମାନେ ପହଞ୍ଚିବା ପରେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏବଂ ଶ୍ରୀଜଗନ୍ନାଥ ଧର୍ମ ସଂସ୍କତି ସୁରକ୍ଷା ସଙ୍ଗଠନ ଓଡ଼ିଶା ରାଜ୍ୟ ସଭାପତି ବଦ୍ରି ମିଶ୍ର ଏମାନଙ୍କୁ ସ୍ବାଗତ କରିଥିଲେ। ତେବେ ଏହି ଭାର ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ନିଆଳି ମାଧବ ମନ୍ଦିର ମହାପ୍ରଭୁଙ୍କ ମାମୁଘର ବୋଲି ଦର୍ଶାଯାଇ ପ୍ରଥମାଷ୍ଟମୀରେ ପୋଢୁଅଁା ବସ୍ତ୍ର ଓ ସାମଗ୍ରୀ ଗ୍ରହଣ କରିବା ଲାଗି ମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ସେମାନଙ୍କ ଅନୁରୋଧକୁ ରକ୍ଷା କରି ଏହାର ତର୍ଜମା କରାଯାଇଥିଲା। ମହାପ୍ରଭୁଙ୍କ ମାମୁଘର ନିଆଳି ମାଧବ ବୋଲି ସେମିତି କୌଣସି ରେକର୍ଡ କିମ୍ବା ତଥ୍ୟ ନାହିଁ। ସେମାନେ ଆଜି ଯାହା ଆଣିଛନ୍ତି ତାହା ସାଧାରଣ ଭକ୍ତଙ୍କଠାରୁ ଯେଭଳି ଭାବେ ଦାନ ଗ୍ରହଣ କରାଯାଏ ସେହିଭଳି ଦାନ ଆକାରରେ ଗ୍ରହଣ କରାଯାଇଛି। ପୋଢୁଅଁା ସହିତ ଏହାର କୌଣସି ସମ୍ପର୍କ ନାହିଁ।

Share