ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ,୨୫ା୨: ଫାଲ୍‌ଗୁନ ଶୁକ୍ଳ ପ୍ରତିପଦାରେ ସୋମବାର ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସରିବା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଆଜ୍ଞାମାଳ ପାଇ ବେଣ୍ଟ (ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ। ବିମାନବଡୁ ସେବକମାନେ ବିମାନ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଇଥିଲେ। ସେଠାରେ ମହାଜନ ସେବକ ଠାକୁରଙ୍କୁ ଖଟ ଉପରେ ବିଜେ କରାଇଥିଲେ। ମୁଦିରସ୍ତଙ୍କ ଦ୍ୱାରା ରାଜ ବନ୍ଦାପନା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମହାଜନଙ୍କ ହସ୍ତରେ ବେଣ୍ଟ ନିମନ୍ତେ ବେଣ୍ଟ ପୋଖରୀକୁ ବିଜେ ହୋଇଥିଲେ। ଭିତରଚ୍ଛ ତୀର କମାଣ ଶ୍ରୀଅଙ୍ଗରେ ଲାଗି ଦେବା ପରେ ବେଣ୍ଟ ବିନ୍ଧା ପାଇକ ସେବକ ପଇଡରେ ବେଣ୍ଟ ବିନ୍ଧିଥିଲେ। ସେଠାରେ ରଖାଯାଇଥିବା ୬ଟି ପଇଡ ମଧ୍ୟରୁ ଲେଙ୍କା ୫ଟିରେ ତୀର ମାରିଥିଲେ। ଗୋଟିଏ ଅକ୍ଷତ ଅବସ୍ଥାରେ ସାଙ୍ଗରେ ନେଇ ଆସିଥିଲେ। ଏହାପରେ ଶୀତଳ ଭୋଗ, କର୍ପୂର ଆଳତି, ବନ୍ଦାପନା ଆଦି ନୀତି କରାଯାଇଥିଲା। ପରେ ଠାକୁର ବିମାନରେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।

Share