ସନାତନ ଧାରାରେ କୁହାଯାଇଛି- ‘ସା ବିଦ୍ୟା ଯା ବିମୁକ୍ତୟେ’। ଏହାର ଅର୍ଥ କ’ଣ? ତାହା ହେଉଛି ପ୍ରକୃତ ବିଦ୍ୟା ଯାହା ମଣିଷକୁ ମୁକ୍ତି କରେ। ମଣିଷ ଜନ୍ମ ହୋଇଛି କର୍ମ ଭୋଗ କରିବାକୁ। ପୁଣି ମୁକ୍ତି କ’ଣ! ଏହି କର୍ମରୁ ମୁକ୍ତି ନା ଜୀବନରୁ ମୁକ୍ତି! ଦୁଇଟାଯାକ ଠିକ୍। କର୍ମରୁ ମୁକ୍ତି ଚାହେଁ, ପୁଣି ଜୀବନରୁ ମୁକ୍ତି ଚାହେଁ।
କର୍ମରୁ ମୁକ୍ତି କହିଲେ ଆମେ ବୁଝିବା ଅଳସରୁ ମୁକ୍ତି ଓ କର୍ମ ପ୍ରତି ଅନାଗ୍ରହରୁ ମୁକ୍ତି। ସକାରାତ୍ମକ ଦୃଷ୍ଟିରେ ଏହା ବିଚାର କରାହୁଏ। ଅଳସ ମାନସିକତାରୁ ମୁକ୍ତ ହେଲେ କର୍ମ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଯିବ, କାମ କରିବାକୁ ଯେଉଁ ଆଗ୍ରହ ନ ଥିଲା, ତାହା ପୁଣି ଚେଇଁ ଉଠିବ। କର୍ମ କରିବାକୁ ଇଚ୍ଛା ହେବ। କର୍ମ କଲେ ଯାଇ କର୍ମରୁ ମୁକ୍ତି। କର୍ମ ତ ନିର୍ଦ୍ଧାରିତ! କରିବାକୁ ହେବ। ନ କଲେ କେମିତି ମୁକ୍ତ ହେବ!
ଅନ୍ୟଟି ହେଲା ଜୀବନରୁ ମୁକ୍ତି। ଜୀବନରୁ ମୁକ୍ତି ମାନେ ଆତ୍ମାର ସ୍ବାଧୀନତା। ଶରୀର ଭିତରେ ଥିବା ଅନ୍ତରାତ୍ମାର ସ୍ବାଧୀନତା। ଆତ୍ମା ତ ସ୍ବାଧୀନ! ତା‘ର ପୁଣି ସ୍ବାଧୀନତା କ’ଣ! ଉପନିଷଦରେ ୟାର ସମାଧାନ ହୋଇଛି। ଅନ୍ତରାତ୍ମା ସେତିକିବେଳେ ସ୍ବାଧୀନ ହୁଏ, ଯେତେବେଳେ ମନ ହୋଇଯାଏ ଆନନ୍ଦମୟ। ସୁଖମୟ ନୁହେଁ। ମନରେ ଆନନ୍ଦ ଭରି ରହିଲେ ଅନ୍ତରାତ୍ମା ଶାନ୍ତିରେ ରହେ। ଅର୍ଥାତ୍ ଶାନ୍ତ ହୋଇଯିବା ମାନେ ସେ ଭୌତିକ ମୁକ୍ତି ଆଡ଼କୁ ଗତିକରେ। ଆମେ ଆମ ଦାରୁଦିଅଁଙ୍କ ଉପାସନାରେ ଏଗୁଡ଼ିକ ପାଉ। ଗହନ ରହସ୍ୟ ଲୌକିକ ଭାବରେ ଏଥିରେ ସ୍ଥାନ ପାଇଛି। ତେଲଲୁଣ ସଂସାର ଭିତରେ ସଭିଏଁ ଗହନ ରହସ୍ୟକୁ ଭେଦିବା ସମ୍ଭବ ନୁହେଁ। ତେଣୁ ମହାପୁରୁ ଲୋକଲୀଳା ଭେଇଛନ୍ତି ଲୋକଙ୍କ ପାଇଁ। ଲୋକଟିଏ ବୁଝୁ ନ ବୁଝୁ ତାଙ୍କ ଲୀଳାରେ ଜାଣନ୍ତରେ ହେଉ କି ଅଜାଣତରେ ହେଉ ସାମିଲ ହୋଇଯିବା ପରେ ହୃଦୟରେ ଆନନ୍ଦ ଭରିଯାଏ। ସୁଖଦୁଃଖର ସେଠି କିଛି ମାନେ ନ ଥାଏ।
– ଡ. ସୁରେନ୍ଦ୍ର କୁମାର ମିଶ୍ର