ମହାବାତ୍ୟାକୁ ୨୦ ବର୍ଷ : ସ୍ମୃତି ଆଜି ବି ଅଭୁଲା

କରାଳ ରାତି, ଘନ ଅନ୍ଧକାର ମଧ୍ୟରେ କେବଳ ପବନର ସୁ ସୁ ଶବ୍ଦ। ପ୍ରଚଣ୍ଡ ବର୍ଷା ଓ ବିଜୁଳି ଆଲୋକରେ ଘରୁ ବାହାରିବା ଥିଲା କଷ୍ଟକର। ହଠାତ୍‌ ସମୁଦ୍ରରୁ ମାଡ଼ି ଆସିଲା ନଡ଼ିଆ ଗଛ ପ୍ରାୟ ଉଚ୍ଚର ଜୁଆର। ନିମିଷକ ମଧ୍ୟରେ ନିଶ୍ଚିହ୍ନ ହୋଇଗଲା ସବୁକିଛି। କିଏ କେଉଁଠି ରହିଲେ, କୁଆଡ଼େ ଗଲେ କିଛି ଜଣାପଡ଼ିଲା ନାହିଁ। ଚାରିଆଡ଼େ ପ୍ରଳୟର ଦୃଶ୍ୟ, ପ୍ରଚଣ୍ଡ ବେଗର ପବନ ଓ ପାଣି। ମୁହୂର୍ତ୍ତକ ପରେ ନିଜକୁ କିଏ କେଉଁଠି କିପରି ଅବସ୍ଥାରେ ଆବିଷ୍କାର କଲେ ତାହା ଜଣା ନ ଥିଲା। ଆତ୍ମୀୟ ସ୍ବଜନ, ପରିବାର ଲୋକେ ସବୁ ଆଖି ଆଗରେ ଭାସିଗଲେ। ଘରଦ୍ୱାର କେଉଁ ଜାଗାରେ ରହିଥିଲା ତାହା ଠଉରାଇବା ସମ୍ଭବ ନ ଥିଲା। ଆଜକୁ ଠିକ୍‌ ୨୦ବର୍ଷ ତଳେ, ୧୯୯୯ ଅକ୍ଟୋବର ୨୯ ତାରିଖରେ ପ୍ରକୃତି ତା’ର ଏଭଳି ଏକ କରାଳ ରୂପ ଦେଖାଇଥିଲା, ଯାହା ମହାବାତ୍ୟା ରୂପେ ଆଜି ମଧ୍ୟ ଅଲିଭା ସ୍ମୃତି ହୋଇ ରହିଛି।

ଏରସମା,୨୯।୧୦(ସ୍ବ.ପ୍ର.): ୧୯୯୯ ମହାବାତ୍ୟା ବିଶେଷକରି ଉପକୂଳ ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ରଚିଥିଲା ତାଣ୍ଡବଲୀଳା। ପ୍ରକୃତି ଯେ କେତେ କରାଳ ରୂପ ଧାରଣ କରିପାରେ ତାହା ସେହିଦିନ ହିଁ ଦେଖିବାକୁ ମିଳିଥିଲା। ମାତ୍ର କେତେ ସମୟ ମଧ୍ୟରେ ଝଡ଼ର ତାଣ୍ଡବ, ଘଣ୍ଟା ପ୍ରତି ୩୫୦ କିମି ବେଗର ପବନ, ସମୁଦ୍ର ଜୁଆର ଓ ବର୍ଷାର ଏକ ମିଳିତ ସଂହାରଲୀଳା ଥରାଇ ଦେଲା ସମଗ୍ର ଉପକୂଳ ଓଡ଼ିଶାକୁ। କେବଳ ଏରସମା ବ୍ଲକରେ ହିଁ ଲିଭିଗଲା ୧୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଦୀପ। ଘରଦ୍ୱାର ଛାଡ଼, ଗଁା ଗଣ୍ଡା ମଧ୍ୟ ନିଶ୍ଚିହ୍ନ ହୋଇଗଲା। ଜୀବନ ବଞ୍ଚାଇବାର ବିକଳ ସଂଗ୍ରାମ ଭିତରେ ମା’ ଭୁଲିଯାଇଥିଲା ପିଲାଙ୍କୁ, ସ୍ବାମୀ ଭୁଲିଯାଇଥିଲା ସ୍ତ୍ରୀକୁ। ପାଣି ଛାଡ଼ିବାବେଳକୁ ଚାରିଆଡେ ପଡ଼ିଥିଲା ଖାଲି ପଶୁ, ପକ୍ଷୀ ଓ ମଣିଷଙ୍କ ମୃତଦେହ। ସୁନ୍ଧର ସବୁଜିମା ଏକ ପ୍ରକାର ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା। ବିଶାଳ ବୃକ୍ଷରାଜି ସବୁ ମାଟିରେ ଲୋଟିପଡ଼ିଥିଲା। ଇତିମଧ୍ୟରେ ବିତିଯାଇଛି ୨୦ ବର୍ଷ। ସେହି ବିନାଶ ଭିତରୁ ହୋଇଛି ବିକାଶର ସୂତ୍ରପାତ। ତଥାପି ଆଜି ମଧ୍ୟ ମହାବାତ୍ୟାର ସେହି ଧ୍ୱଂସଲୀଳା ଏରସମାବାସୀଙ୍କ ହୃଦୟରେ ଅଲିଭା ଦାଗ ହୋଇ ରହିଯାଇଛି।

ସେଦିନର ନବଜାତ ମଧୁସ୍ମିତା ଏବେ ବିଏସ୍‌ସି ଛାତ୍ରୀ
ମହାବାତ୍ୟାର କରାଳ ରୂପ ଗ୍ରାସ କରିଥିଲା ଏରସମା ଭୂଇଁକୁ। ଲୁଣା ଜୁଆର ଓ ଝଡ଼ର ତାଣ୍ଡବ କବଳରୁ ରକ୍ଷା ପାଇବାକୁ ଚାଲିଥିଲା ପ୍ରାଣମୁର୍ଚ୍ଛା ସଂଗ୍ରାମ। ସେହି ଚରମ ଦୁର୍ଦ୍ଦିନରେ ଜନ୍ମ ହୋଇଥିଲେ ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ ଶ୍ରୀରାମପୁର ଗ୍ରାମର ଅତୂଲ୍ୟ ବିଶ୍ୱାଳ ଓ ପୁଷ୍ପଲତା ବିଶ୍ୱାଳଙ୍କ ଝିଅ ମଧୁସ୍ମିତା। ନିଜ କଚ୍ଚାଘର ଖଣ୍ଡିକ ଭାସିଯିବା ପରେ ନବଜାତ ଶିଶୁ କନ୍ୟା (ମଧୁସ୍ମିତା)ଙ୍କୁ ହାତରେ ଟେକି ଧରି ବେକେ ପାଣିରେ ଯାଇ ଏକ ଗଛ ଉପରେ ସେମାନେ ବସିରହିଥିଲେ ୨ ଦିନ। ଭୋକ ଉପାସରେ କଟିଥିଲା ଦିନରାତି। ଏବେ ମଧୁସ୍ମିତାଙ୍କୁ ୨୦ ବର୍ଷ। ସେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ବିଏସ୍‌ସି ପଢୁଛନ୍ତି। ବାପା ଶ୍ରମିକ ଭାବେ କାମ କରି ପରିବାର ଚଳାଉଛନ୍ତି। ନିଜର ଦୃଢ଼ ଇଛାଶକ୍ତି ବଳରେ ଉଚ୍ଚଶିକ୍ଷା ଲାଭ ପାଇଁ ଆଶା ରଖିଛନ୍ତି ମଧୁସ୍ମିତା। ସରକାରୀ ପ୍ରୋତ୍ସାହନ ମିଳିଲେ ଝିଅ ଆହୁରି ଉପରକୁ ଯାଇପାରନ୍ତା ବୋଲି କହିଛନ୍ତି ତାଙ୍କ ମା’ ପୁଷ୍ପଲତା।

ଦହିବର ଗ୍ରାମରେ ଘଟିଥିଲା ୫୮୭ ଜଣଙ୍କ ମୃତ୍ୟୁ
ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଏରସମା ବ୍ଲକ ଜପା ପଞ୍ଚାୟତର ଦହିବର ଗ୍ରାମ। ଏରସମା ବ୍ଲକ ମୁଖ୍ୟାଳୟର ପୂର୍ବଦିଗରେ ପ୍ରସସ୍ଥ ହଂସୁଆ ସଫେଇ ଜଟାଧାର ମୁହାଣରେ ମିଶିଛି। ସଫେଇ କୂଳରେ ଥିବା ଏହି ଗ୍ରାମ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଥିଲା। ମହାବାତ୍ୟାରେ କେବଳ ଏହି ଗ୍ରାମରୁ ୫୮୭ଜଣଙ୍କ ମୃତ୍ୟୁ ହୋଇଥିଲା। ଏପରି କି ଗୋଟିଏ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ଜୀବନ ଦୀପ ଲିଭିଯାଇଥିଲା। ଅନେକଙ୍କ ମୃତଦେହ ମିଳି ନ ଥିଲା। ଯେଉଁମାନଙ୍କ ମୃତଦେହ ମିଳିଥିଲା, ଗୋଟିଏ ସ୍ଥାନରେ ସେମାନଙ୍କ ଅନ୍ତିମ ସତ୍କାର ଓ ଶୁଦ୍ଧିକ୍ରିୟା ହୋଇଥିଲା। ସେମାନଙ୍କ ଉଦ୍ଦେଶ୍ୟରେ ସେଠାରେ ଏକ ସ୍ମୃତିସ୍ତମ୍ଭ ରହିଛି। ପ୍ରତିବର୍ଷ ଏଠାରେ ସମୂହ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି।

୫ ସଦସ୍ୟଙ୍କୁ ହରାଇ ୩ ଦିନ ରହିଥିଲେ ନଡ଼ିଆ ଗଛରେ
ଏରସମା ବ୍ଲକ ପଲିକଣ୍ଟା ପଞ୍ଚାୟତ ମନ୍ଦିରା ଗ୍ରାମର ପ୍ରମିଳା ପରିଡ଼ା। ୭ ସଦସ୍ୟଙ୍କୁ ନେଇ ତାଙ୍କ ପରିବାର ଥିଲା। ବାପା ନାରାୟଣ ପରିଡ଼ାଙ୍କର ୪ ଝିଅ ଓ ଗୋଟିଏ ପୁଅ ମଧ୍ୟରେ ସେ ଥିଲେ ବଡ଼ ଝିଅ। ବାତ୍ୟା ଏଭଳି କରାଳ ରୂପ ଧାରଣ କରିବ ବୋଲି ସେମାନେ କଳନା କରି ନ ଥିଲେ। ପାଟ ହୁଡ଼ାରେ ଏକ ଖୋଲା ଜାଗାରେ ତାଙ୍କର ବଖରାଏ ଇନ୍ଦିରା ଆବାସ ଓ ୨ ବଖରା କଚାଘର ଥିଲା। ଘର ପାଖରେ ଆଉ କାହାର ଘର ନ ଥିଲା। ସେଦିନ କାଳ ରାତିରେ ପ୍ରଥମେ ପବନ ଦଲକେଇ ଆସିଲା। ଚାହୁଁ ଚାହଁୁ ହଠାତ ପବନର ବେଗ ଏତେ ବଢ଼ିଗଲା ଯେ ସେମାନେ ବାହାରକୁ ବାହାରି ପାରିଲେ ନାହିଁ। ଘରର ଚାଳ ଉଡ଼ିଗଲା। ତେଣୁ କୋଠା ଘର ବଖରାକରେ ସମସ୍ତେ ଆଶ୍ରୟ ନେଇଥିଲେ। ହଠାତ ୧୧ ବର୍ଷର ଝିଅ ସଞ୍ଜିତା ଓ ୧୫ ବର୍ଷର ଝିଅ ବନିତା ଉପରେ ଛାତ ପଡ଼ିଗଲା। ସମୁଦ୍ର ଜୁଆର ୩ ପୁରୁଷ ଉଚ୍ଚରେ ମାଡ଼ି ଆସିବାରୁ ନଡ଼ିଆ ଗଛ ଉଚ୍ଚରେ ସମସ୍ତ ପାଣିରେ ଭାସିଗଲେ। ମା’ରେଣୁବାଳାଙ୍କ ହାତରୁ ଖସିଗଲା ୫ ବର୍ଷର ପୁଅ ଉତ୍ତମ। ଏହା ଦେଖି ବାପା ନାରାୟଣ ତାକୁ ଉଦ୍ଧାର କରିବାକୁ ଯାଇ ଭାସି ଗଲେ। ଅସହ୍ୟ ଥଣ୍ଡାରେ ମଧ୍ୟ ମା’ଙ୍କ ମୃତ୍ୟୁ ଘଟିଲା। ମୃତ୍ୟୁ ସହ ସଂଗ୍ରାମ କରି ୧୮ ବର୍ଷର ପ୍ରମିଳା ଓ ୧୩ ବର୍ଷର ରଞ୍ଜିତା ଗଛରେ ଆଶ୍ରୟ ନେଇଥିଲେ। କୌଣସି ପ୍ରକାରେ ପତ୍ର ଆହାର କରି ଜୀବନ ତ ସେମାନେ ବଞ୍ଚାଇ ଦେଇଥିଲେ, ମାତ୍ର ସବୁଦିନ ପାଇଁ ଅନାଥ ହୋଇଗଲେ।

୩୧ ପରିଜନଙ୍କୁ ହରାଇଛନ୍ତି ଜୋଛନା
ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଶଙ୍ଖା ଗାଁରେ ଜୋଛନା ପ୍ରଧାନଙ୍କ ଘର। ସ୍ବାମୀଙ୍କ ନାମ ତ୍ରୈଲୋକ୍ୟା। ତ୍ରୈଲୋକ୍ୟାଙ୍କର ୫ ଭାଇଥିଲେ। ୩୨ ସଦସ୍ୟଙ୍କୁ ନେଇ ତାଙ୍କର ଯୌଥ ପରିବାର। ଚିଙ୍ଗୁଡ଼ି ଚାଷ ଓ ସମୁଦ୍ରରୁ ମାଛ ମାରି ସେମାନେ ଜୀବିକା ନିର୍ବାହ କରୁଥିଲେ। ଘରଠାରୁ ସମୁଦ୍ର ମାତ୍ର ୫୦ ମିଟର ଦୂର। ଗାଁରେ କୌଣସି କୋଠାଘର କି ବାତ୍ୟା ଆଶୟସ୍ଥଳୀ ନ ଥିଲା। ପବନର ବେଗ ବଢିବା ସାଙ୍ଗକୁ ଜୁଆର ମାଡ଼ି ଆସିବାରୁ ଘର ସହ ସମସ୍ତେ ଭାସିଯାଇଥିଲେ। ସୌଭାଗ୍ୟ କ୍ରମେ ଜୋଛନା ଏକ ବଡ଼ ଚାକୁଣ୍ଡା ଗଛରେ ଲାଗିଯାଇଥିଲେ। ୩ ଦିନ ଏମିତି ଉକ୍ତ ଗଛରେ ରହି ଭାସି ଆସୁଥିବା କୁଟା ପତର ଚୋବାଇ ଜୀବନ ବଞ୍ଚାଇଥିଲେ। ଗଛ ପାଖରେ ଆସି ଲାଗୁଥିବା ମୃତଦେହରୁ ଲୁଗା କାଢି ପିନ୍ଧିଥିଲେ। ତେବେ ତାଙ୍କ ପରିବାର ଅନ୍ୟ ସମସ୍ତ ସଦସ୍ୟଙ୍କୁ ଛଡ଼ାଇ ନେଇଥିଲା ମହାବାତ୍ୟା। ସେଦିନର କଥା ପଚାରିଲେ, ତାଙ୍କ ଆଖି ଛଳ ଛଳ ହୋଇଯାଏ। ଲୁଗା କାନିରେ ଲୁହ ପୋଛି ସେ କୁହନ୍ତି, ରଖେ ହରି ତ ମାରେ କିଏ। ଏବେ ୭୦ବର୍ଷ ବୟସରେ ପରଘରେ କାମ କରି ସେ ପେଟ ପୋଷୁଛନ୍ତି।

ଆଶ୍ରୟସ୍ଥଳୀ ଏବେ ଅସୁରକ୍ଷିତ
ମହାବାତ୍ୟା ପରେ ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାର ଗୁରୁତ୍ୱାରୋପ କରିଥିଲେ। ୨୦୦୩ ରେ ମହାରାଷ୍ଟ୍ର ସରକାରଙ୍କ ସହଯୋଗରେ ଏରସମା ବ୍ଲକର ବିଭିନ୍ନ ଗ୍ରାମରେ ୩୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ଏଥିପାଇଁ ସେତେବେଳେ ଗୋଟିଏ ଆଶ୍ରୟସ୍ଥଳୀ ପିଛା ୧୮ରୁ ୨୦ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ସମୁଦ୍ର ଜୁଆର ତଳେ ଚାଲିଯିବାର ବ୍ୟବସ୍ଥା କରି ପିଲାର ଯୋଗେ ଘର କରାଯାଇ ଉପର ମହଲାରେ ଲୋକଙ୍କ ରହିବା ବ୍ୟବସ୍ଥା ହୋଇଥିଲା। ୧୮ ପିଲାର ବିଶିଷ୍ଟ ବିଶାଳ ଅଟ୍ଟାଳିକାରେ ୭ ବଖରା ଘର ଥିଲା। ପବନ ଦାଉରୁ ସୁରକ୍ଷିତ ରହିବା ପାଇଁ ତାହା ଗୋଲାକାର କରାଯାଇଥିଲା। ଏଥିସହ ସିଡି ଓ ସିଡି ତଳେ ରୋଷେଇ ଘର କରାଯାଇଥିଲା। କିନ୍ତୁ ସେଥିମଧ୍ୟରୁ ଅଧିକାଂଶ ବାତ୍ୟା ଆଶ୍ରୟସ୍ଥଳୀ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। କେଉଁଠି କାନ୍ଥ ଫାଟି ଗଲାଣି ତ ଆଉ କେଉଁଠି ଛାତରୁ ପ୍ଲାଷ୍ଟର ଖସିପଡ଼ିଲାଣି। ବିଶେଷ କରି ସିହା ପଞ୍ଚାୟତରେ ଥିବା ଆଶୟସ୍ଥଳୀଟି ଏବେ ଅସୁରକ୍ଷିତ ହୋଇପଡିଛି। ଝରକା, କବାଟ ସବୁ ଭାଙ୍ଗି ଗଲାଣି। ଇରିବୀଣା, ଗନ୍ଧପୁର, ଚାଉଳିଆ, କାଣିପଦା ଆଦି ସ୍ଥାନରେ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ବିପଦସଙ୍କୁଳ ଅବସ୍ଥାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri