ମହାମାରୀ ଲଢ଼େଇରେ ସହାୟକ ହେବନି ଲକ୍‌ଡାଉନ

ନୂଆଦିଲ୍ଲୀ, ୨୪।୫(ପି.ଟି.): ଦେଶବ୍ୟାପୀ ଲକ୍‌ଡାଉନ କୋଭିଡ୍‌-୧୯ ଲଢ଼େଇରେ ଆଉ ସହାୟକ ହେବନାହିଁ ବୋଲି ଦେଶର ପ୍ରମୁଖ ଭୂତାଣୁ ବିଜ୍ଞାନୀ ଶହିଦ ଜମିଲ୍‌ କହିଛନ୍ତି। ଏହା ବଦଳରେ ଗୋଷ୍ଠୀ ପରିଚାଳିତ ନିଷିଦ୍ଧାଞ୍ଚଳ, ଆଇସୋଲେଶନ ଓ କ୍ୱାରାଣ୍ଟାଇନ୍‌ ନୀତିକୁ ଅଧିକ ଗୁରୁତ୍ୱ ଦେବାକୁ ହେବ ବୋଲି ସେ ମତ ଦେଇଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ଲାଗି ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାରପ୍ରାପ୍ତ ବୈଜ୍ଞାନିକ ଜମିଲ କୋଭିଡ୍‌ ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। କରୋନା ଭୂତାଣୁ ହଟ୍‌ସ୍ପଟ ଚିହ୍ନଟ ଲାଗି ପରୀକ୍ଷାକୁ ଜୋର୍‌ଦାର କରାଯିବା ସହ ଉକ୍ତ ଅଞ୍ଚଳକୁ ପୃଥକ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏବେ ଭାରତରେ ପ୍ରତି ୧୦ ଲକ୍ଷ ଲୋକରେ ୧,୭୪୪ ପରୀକ୍ଷା କରାଯାଉଛି, ଯାହା କି ବିଶ୍ୱରେ ସର୍ବନିମ୍ନ ପରୀକ୍ଷା ହାର। ଉଭୟ ଆଣ୍ଟିବଡି ଏବଂ ପିସିଆର୍‌ ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

Share