Categories: ଖେଳ

ମହାମୁକାବିଲା ପୂର୍ବରୁ ଭାରତ-ପାକିସ୍ତାନ ଭିତରେ ବିଜ୍ଞାପନ ଯୁଦ୍ଧ: ଭାରତ ନେଲା ଅଭିନନ୍ଦନଙ୍କ ପ୍ରତିଶୋଧ

ନୂଆଦିଲ୍ଲୀ,୧୫।୬: ଭାରତ-ପାକିସ୍ତାନ ମଧ୍ୟରେ ବହୁ ପ୍ରତିକ୍ଷୀତ ଆଇସିସି ଓ୍ବାଲ୍ଡ କପ୍‌ ମ୍ୟାଚ ରବିବାର ମେଞ୍ଚଷ୍ଟାରରେ ଅନୁଷ୍ଠିତ ହେବାକୁ ଯାଉଛି। ହେଲେ ଗ୍ରାଉଣ୍ଡ ଫ୍ଲୋରରେ ମୁହାଁମୁହିଁ ହେବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ବିଜ୍ଞାପନ ଜରିଆରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିରେ ଦୁଇ ଦେଶର ପ୍ରତିନିଧି ପରସ୍ପରର ମଜାକ୍‌ ଉଡ଼ାଇବା ସହ ଅପମାନିତ କରୁଥିବା ଦେଖିବାକୁ ମିଳିଛି। ହେଲେ ଶେଷରେ ଭାରତୀୟ ପ୍ରଶଂସକର ବିଜୟ ହୋଇଥିବା ନଜର ଆସିଛି। ଭିଡିଓଟିରେ ଜଣେ ଭାରତୀୟ ପ୍ରଶଂସକ ସେଲୁନରେ ବସି କ୍ରିକେଟ ମ୍ୟାଚ୍‌ ଦେଖୁଥିବା ବେଳେ ସେହି ସମୟରେ ପାକିସ୍ତାନର ପ୍ରଶଂସକ ଆସି ତାଙ୍କୁ ଏକ ରୁମାଲ୍‌ ଗିଫ୍ଟ କରିଥାନ୍ତି। ମ୍ୟାଚ୍‌ ହାରିବା ପରେ ଏହା ମୁହଁ ଲୁଚାଇବା ପାଇଁ କାମରେ ଆସିବ ବୋଲି କହିଥାନ୍ତି। ଏହାପରେ ବାରିକ ଜଣଙ୍କ ତାଙ୍କର ଦାଢ଼ି କାଟିବା ସମୟରେ ଅଭିନନ୍ଦନଙ୍କ କଟ୍‌ ଦେଇ ଦିଅନ୍ତି। ଏହାକୁ ଦେଖି ପାକିସ୍ତାନ ପ୍ରଶଂସକ ବାହାରକୁ କିପରି ଯିବେ ଭାବି ଚିନ୍ତିତ ଥିବା ବେଳେ ଭାରତୀୟ ପ୍ରଶଂସକ ତାଙ୍କୁ ରୁମାଲ୍‌ ବଢ଼ାଇ ଦେଇ ମୁହଁ ଲୁଚାଇ ଯାଅ ବୋଲି କୁହନ୍ତି। ଏହି ଭିଡିଓକୁ ୟୁଟ୍ୟୁବରେ ‘ଭି ସେଭେନ ପିକଚର୍ସ’ ନଁାରେ ଅପଲୋଡ କରାଯାଇଛି। ଅପଲୋଡ କରିବାର ୨୦ ଘଣ୍ଟା ମଧ୍ୟରେ ଏହାକୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏହି ବିଜ୍ଞାପନକୁ ନେଇ ଏବେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହି ଭିଡିଓଟିରେ ଭାରତକୁ ପରୋକ୍ଷ ଭାବରେ ପାକିସ୍ତାନର ବାପା ବୋଲି ଦର୍ଶାଯାଇଛି। କିଛି ଦିନ ପୂର୍ବରୁ ପାକିସ୍ତାନର ସ୍ପୋଟର୍‌ସ ଚ୍ୟାନେଲ ଜୋଜ ଟିଭି ପକ୍ଷରୁ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଚା’ ପିଉଥିବା ଭଳି ଏକ ଭିଡିଓ ସାମ୍‌ନାକୁ ଆସିଥିଲା। ଅଭିନନ୍ଦନଙ୍କ ଭଳି ନିଶ ରଖିବା ସହ ତାଙ୍କ ପରି ଚା’ ପିଉଥିବା ବିଜ୍ଞାପନରେ ଦେଖିବାକୁ ମିଳିଥିଲା।

Share