ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ସମାଧି ପୀଠରେ ଜେସିବି ମେଶିନ: ମଧୁବନରେ ଖୋଳାଖୋଳି ନେଇ ଉତ୍ତେଜନା

ବାରିପଦା ଅଫିସ,୯ା୯- ବାରିପଦା ସହର ପାର୍ଶ୍ୱ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀକୂଳରେ ରହିଛି ମଧୁବନ। ସେଠାରେ ନବ ଉତ୍କଳର ନିର୍ମାତା ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ସମାଧି ପୀଠ ଅବସ୍ଥିତ। ସୋମବାର ସକାଳେ ମଧୁବନସ୍ଥିତ ମହାରାଜାଙ୍କ ସମାଧି ସ୍ଥଳରେ ଏକ ଜେସିବି ମେଶିନ ଖୋଳା ଖୋଳି କରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଆସି ସେଠାରେ ଭିଡ଼ ଜମାଇଥିଲେ। ଯୁବ ସଂଗଠକ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଲୋକେ ଏହି ଖୋଳାଖୋଳିକୁ ବିରୋଧ କରି ସେଠାରେ ଜେସିବି ମେଶିନକୁ ହଟାଇ ଦେଇଥିଲେ। ଜେସିବି ଡ୍ରାଇଭରଙ୍କୁ ଲୋକେ ଅଟକ ରଖି ପଚରାଉଚୁରା କରିବାରୁ ସମାଧିସ୍ଥଳକୁ ଖୋଳାଖୋଳି କରିବା ପାଇଁ ତାଙ୍କୁ କୁହାଯାଇଥିବା କହିଥିଲେ। ଏନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଏ ଏବଂ କାହିଁକି ଏଭଳି କାର୍ଯ୍ୟ କରିବା ପାଇଁ କହିଥିଲା ସେ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ନାହିଁ। ଏ ସମ୍ପର୍କରେ ପୋଲିସ ଓ ପ୍ରଶାସନ ପାଖରେ କୌଣସି ସୂଚନା ନ ଥିବା ବେଳେ ରାଜ ପରିବାରର ମତାମତ ମିଳିପାରିନାହିଁ।
ଉଲ୍ଲେଖନୀୟ ଯେ, ମହାରାଜାଙ୍କ ସମାଧି ପୀଠରେ ପ୍ରତିବର୍ଷ ସହରବାସୀ ତାଙ୍କର ଜନ୍ମ ଓ ମୃତ୍ୟୁ ତିଥିରେ ପୂଜାର୍ଚ୍ଚନା କରିଥାନ୍ତି। ଅନେକ ଲୋକେ ମଧ୍ୟ ପ୍ରତିଦିନ ସମାଧିସ୍ଥଳ ବୁଲି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି। ରାଜ ପରିବାରର ମାଲିକାନାରେ ମଧୁବନ ରହିଥିଲେ ମଧ୍ୟ ସେଠାରେ ମେଶିନ ଲଗାଇ ଖୋଳାଖୋଳି କରାଯିବା ଘଟଣା ନେଇ ସହରବାସୀ ଉଦବେଗ ପ୍ରକାଶ କରିଛନ୍ତି। ମହାରାଜାଙ୍କ ସମାଧୀପୀଠରେ ଏଭଳି କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ବ୍ୟକ୍ତିଙ୍କୁ ବିରୋଧ କରାଯିବ ବୋଲି ଯୁବ ସଂଗଠକ ଜେନା ଗଣମାଧ୍ୟମକୁ କହିଛନ୍ତି। ବଳାଙ୍ଗି ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ କୁମାର ନାୟକ ମଧ୍ୟ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରି ଯେ କୌଣସି ସ୍ବାଭିମାନୀ ମୟୂରଭଞ୍ଜବାସୀ ଏହାକୁ ବିରୋଧ କରିବ ବୋଲି କହିଛନ୍ତି। ଅଣରାଜନୈତିକ ସଂଗଠନ ଭଞ୍ଜସେନାର ଯୁବଛାତ୍ର ସଂଯୋଜକ ରାକେଶ ବେହେରା ସମାଧୀ ପୀଠର ଉନ୍ନତି ତଥା ରକ୍ଷଣାବେକ୍ଷଣ ପାଇଁ ରାଜପରିବାର ଏବଂ ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି। ୧୮୭୦ ଡିସେମ୍ବର ୧୭ ତାରିଖରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜନ୍ମ ଗ୍ରହଣ କରିଥିଲେ। ୧୯୧୨ ଫେବୃୟାରୀ ୨୨ ତାରିଖରେ ତାଙ୍କର ଦେହବସାନ ଘଟିଥିଲା। ସେତେବେଳେ ମଧୁବନରେ ତାଙ୍କୁ ସମାଧି ଦିଆଯିବା ପର ଠାରୁ ଜିଲାବାସୀ ସେଠାରେ ପୂଜାର୍ଚ୍ଚନା କରିଆସୁଛନ୍ତି। ଏ ସମ୍ପର୍କରେ ଟାଉନଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କୁ ପଚାରିବାରୁ କହିଛନ୍ତି, ଘଟଣା ସମ୍ପର୍କରେ ଥାନାରେ କେହି କିଛି ଅଭିଯୋଗ କରି ନାହାନ୍ତି। ପୋଲିସ ସୂଚନା ପାଇଥିଲେ ମଧ୍ୟ ତାହା ବ୍ୟକ୍ତିଗତ ଜାଗା ହୋଇଥିତ୍ବାରୁ ସେଠାକୁ ଯାଇ ନ ଥିଲା।

Share