ମୁମ୍ବାଇ,୧୩।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜଲଗାଓଁରେ ଏକ ରାଲିରେ ଯୋଗ ଦେଇଛନ୍ତି। ସେଠାରେ ସେ ଉଦ୍‌ବୋଧନ ଦେବା ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏବେ ନୂଆ ଭାରତର ନୂଆ କିରଣ ଲୋକେ ଦେଖି ସାରିଲେଣି। ତେବେ ଏସବୁ ମୋଦିଙ୍କ ପାଇଁ ନୁହେଁ ବରଂ ସଚେତନ ଭୋଟରଙ୍କ ପାଇଁ ସମ୍ଭବ ହେଲା ବୋଲି ସେ କହିଛନ୍ତି। କାରଣ ଜନତା ଧର୍ମ, ସମ୍ପ୍ରଦାୟ ସବୁର ଊର୍ଦ୍ଧ୍ୱକୁ ଯାଇ ଯେଉଁ ଜନାଦେଶ ଦେଇଛନ୍ତି ତାହା ହିଁ ନୂଆ ଭାରତ ଗଠନ କରିଛି। ଏହାର ପରିଣାମ ସ୍ବରୂପ ଏବେ ସମଗ୍ର ବିଶ୍ୱ ଭାରତର ସ୍ବରକୁ ଗମ୍ଭିରତାର ସହ ଶୁଣୁଛି। ବିଶ୍ୱର ପ୍ରାୟ ସବୁଦେଶ ଏବେ ଭାରତ ସପକ୍ଷରେ ଥିବା ବେଳେ ଭାରତ ସହ ମିଶି ଆଗକୁ ବଢିବାକୁ ଉତ୍ସାହ ପ୍ରକାଶ କରୁଥିବା ମୋଦି କହିଛନ୍ତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ସେ କହିଛନ୍ତି ଯାହା ଦିନେ ଅସମ୍ଭବ ଲାଗୁଥିଲା ତାହା ଆଜି ସମ୍ଭବ ହୋଇଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯାଇଛି। ଆଉ କଂଗ୍ରେସର ଯଦି ସେତିକି କ୍ଷମତା ଅଛି ତେବେ ଅନୁଚ୍ଛେଦ ୩୭୦କୁ ଫେରାଇ ଦେଖାଇ ଦେଉ। ଅଗଷ୍ଟ ୫ର ନିଷ୍ପତ୍ତିକୁ ବଦଳାଇ ଦେଉ। ଆଉ ଏହା କରିବାକୁ ଭାରତୀୟମାନେ କ’ଣ ବିରୋଧିଙ୍କୁ ଅନୁମତି ଦେବେ ବୋଲି ମୋଦି ପ୍ରଶ୍ନ କରିଛନ୍ତି।

Share