Categories: ଜାତୀୟ

ମହାରାଷ୍ଟ୍ରରେ ଜଳ ତାଣ୍ଡବ:ବର୍ଷାବିତ୍ପାତରେ ୧୯ ମୃତ, ୧୧ ନିଖୋଜ

ପୁଣେ,୨୭।୯(ପି.ଟି.):ମହାରାଷ୍ଟ୍ରରେ ଲଗାଣବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପୁଣେ, ଜଲଗାଓଁ ଓ ନାଶିକ୍‌ରରେ କାନ୍ଥ ଭୁଶୁଡ଼ିଯିବା ସହ ଗଛ ଓ ବିଦ୍ୟୁତ୍‌ ପୋଲ ଉପୁଡ଼ିଯାଇଛି। ଏଥିଯୋଗୁ ୧୯ ଜଣଙ୍କ ପ୍ରାଣହାନି ଘଟିବା ସହ ୧୧ ନିଖୋଜ ହୋଇଯାଇଛନ୍ତି।
ମହାରାଷ୍ଟ୍ରର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ବୁଧବାର ମୁମ୍ବାଇ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଥିବା ଏକ ଦରଘାରେ ଲୋକେ ଶୋଇଥିବାବେଳେ ବନ୍ୟାପାଣି ମାଡ଼ିଆସିଥିଲା। ଏଥିରେ ୫ ଜଣ ଲୋକ ଭାସିଯାଇଛନ୍ତି। ପୁଣେର କେତେକ ସ୍ଥାନରେ ଦୁଇ ମହଲା ଉପରକୁ ପାଣି ଚଢ଼ିଯାଇଥିଲା। ଏହାବ୍ୟତୀତ ଅରଣ୍ୟେଶ୍ୱର ସମେତ ବିଭିନ୍ନ ସ୍ଥାନରେ ୫ ମହିଳାଙ୍କ ସହ ୧୨ ଜଣ ପ୍ରାଣ ହରାଇଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ରଣପିସେ ସୂଚନା ଦେଇଛନ୍ତି। ନାଶିକ୍‌ର ଏକ ଗ୍ରାମରେ ଜଣେ ଅଟୋ ଡ୍ରାଇଭର ଶୋଇଥିବାବେଳେ ପାଣି ମାଡ଼ିଆସିବାରୁ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବୀସ ଏହାକୁ ନେଇ ଶୋକବ୍ୟକ୍ତ କରିବା ସହ ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ୧୬ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ପୁଣେ ଓ ବାରାମତି ତହସିଲରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଯବାନଙ୍କୁ ମୁତୟନ କରାଯାଇଛି। ସେନା ପକ୍ଷରୁ ୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଯବାନମାନେ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ଜରୁରୀ ସାମଗ୍ରୀ ଯୋଗାଇଦେଉଛନ୍ତି। ଗୁରୁବାର ସକାଳେ ବର୍ଷା ଛାଡ଼ିଯାଇଥିଲେ ହେଁ ସହରର ଅନେକ ସ୍ଥାନରେ ପାଣି ଜମା ହୋଇରହିଛି। ଡେଙ୍ଗୁ ବ୍ୟାପିବାର ଆଶଙ୍କା ଥିବାରୁ ଗୁରୁବାର ସ୍କୁଲ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।

Share