Categories: ଜାତୀୟ

ମହାରାଷ୍ଟ୍ରରେ ନିର୍ବାଚନୀ ବିଗୁଲ୍‌ ବଜାଇଲେ ମୋଦି

ନାଶିକ୍‌,୨୦-୯(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆସନ୍ତା ମାସରେ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସେଠାରେ ଭାଜପା ପାଇଁ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ପାକିସ୍ତାନ ସପକ୍ଷବାଦୀ ମନ୍ତବ୍ୟ ପାଇଁ ମୋଦି ତାଙ୍କ ଉପରେ ବର୍ଷିଛନ୍ତି। ଅତୀତରେ ରାଜନୈତିକ ଅସ୍ଥିରତା ପାଇଁ ରାଜ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲା। ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇ ନ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ୫ ବର୍ଷର ସ୍ଥିର ସରକାର ଦେଇପାରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କର ଉଚ୍ଚପ୍ରଶଂସା କରିଥିଲେ।
ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସମ୍ପର୍କରେ ମୋଦି କହିଥିଲେ, ଏହା ୧୩୦ କୋଟି ଭାରତୀୟଙ୍କ ଇଚ୍ଛା ଥିଲା। କଶ୍ମୀରକୁ ନୂଆ ସ୍ବର୍ଗରେ ପରିଣତ କରିବା ତାଙ୍କର ସ୍ବପ୍ନ। ଏହାକୁ ପୂରଣ କରିବା ପାଇଁ ସେ ଅନ୍ୟମାନଙ୍କ ସହଯୋଗ ଲୋଡ଼ିଥିଲେ। ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ୩୭୦ ଉଚ୍ଛେଦ ନିଷ୍ପତ୍ତି ପାଇଁ ବିରୋଧୀ ଦଳ ସରକାରଙ୍କୁ ସମର୍ଥନ କରିବା ପରିବର୍ତ୍ତେ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସମାଲୋଚନା କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ ମୋଦି କହିଥିଲେ, କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ଅନ୍ୟ ଦେଶ ଓ ଆତଙ୍କବାଦୀ ସଂଗଠନ ଭାରତ ବିରୋଧରେ ବ୍ୟବହାର କରୁଛନ୍ତି। ପାଓ୍ବାରଙ୍କ ଭଳି ଅଭିଜ୍ଞ ନେତା ଭୋଟ ପାଇଁ ଭୁଲ୍‌ ମନ୍ତବ୍ୟ ଦେବା ତାଙ୍କୁ ଦୁଃଖିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଅଯୋଧ୍ୟା ଜମି ବିବାଦ ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାରୁ ଏହା ଉପରେ ମନ୍ତବ୍ୟ ପ୍ରଦାନରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ରାଜନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କାହା ନାଁ ନେଇ ନ ଥିଲେ ହେଁ ଶିବସେନାକୁ ଲକ୍ଷ୍ୟ କରି ଏହା କହିଥିବା ଚର୍ଚ୍ଚା ହେଉଛି। ପ୍ରକାଶ ଯେ, ୩୭୦ ଉଚ୍ଛେଦ ଭଳି ରାମମନ୍ଦିର ନିର୍ମାଣ ଲାଗି ମୋଦି ସରକାର ସାହସିକ ପଦକ୍ଷେପ ନେବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଗତ ସୋମବାର କହିଥିଲେ।

Share