ମହାରାଷ୍ଟ୍ରରେ ବଢିବ ଲକ୍‌ଡାଉନ ଅବଧି !

ମୁମ୍ବାଇ,୩୦।୫: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ମହାରାଷ୍ଟ୍ରର ସ୍ଥିତି ସବୁଠାରୁ ଉଦ୍‌ବେଗଜନକ ରହିଛି। ଏଠାରେ ପ୍ରତିଦିନ ଶହ ଶହ ଲୋକ କରୋନାରେ ଆକ୍ରାନ୍ତ ହେଉଥିବାରୁ ଆଗକୁ ମୁମ୍ବାଇ ଓ ପୁନେ ଭଳି ହଟ୍‌ସ୍ପଟରେ ଲକ୍‌ଡାଉନ ଅବଧି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ଅବଶ୍ୟ ଏ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାମାନ୍ୟ ସୂଚନା ଦେଇଛନ୍ତି। ଠାକରେ କହିଛନ୍ତି ଆଗାମୀ ୧୫ ଦିନ ଆମ ପାଇଁ ବେଶ୍‌ କ୍ଷତିକାରକ। ଏହି ସମୟରେ ପ୍ରତିଟି ନାଗରିକ କରୋନା ସହ ଲଢିବା ସମୟରେ ଅଧିକ ସାବଧାନତା ଅବଲମ୍ବନ କରିବା ଦରକାର। ଏପଟେ ଆଉ ଗୋଟିଏ ଦିନପରେ ଲକ୍‌ଡାଉନ ୪.୦ର ଅବଧି ସରି ଆସିଥିବା ବେଳେ ଏପଟେ କିନ୍ତୁ କରୋନା ସଂକ୍ରମଣ କମ୍‌ ହେବାର ନାଁ ନେଉନି। ତେଣୁ ଉଦ୍ଧବ କହିଛନ୍ତି ନୂଆ ଲକ୍‌ଡାଉନକୁ ନେଇ କେନ୍ଦ୍ର ସରକାର ଗାଇଡ ଲାଇନ ଜାରି କରିସାରିବା ପରେ ରାଜ୍ୟ ସରକାର ତାଙ୍କର ଯୋଜନା ବିଷୟରେ ଉଲ୍ଲେଖ କରିପାରନ୍ତି। ଏଥିରୁ ଅନୁମାନ କରାଯାଉଛି କି ମୁଖ୍ୟମନ୍ତ୍ରୀ ଠାକରେ ମହାରାଷ୍ଟ୍ରରେ ଲକ୍‌ଡାଉନ ଅବଧି ବୃଦ୍ଧି କରିପାରନ୍ତି। ଅନ୍ୟପଟେ ସେ କହିଛନ୍ତି ଏବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ହେଲେ ଆଗାମୀ ୧୫ ଦିନ ଯଦି ଆମେ ସାବଧାନ ନ ରହୁ ତେବେ ଏହାର ଓଲଟା ପ୍ରଭାବ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାର ଅତିକ୍ରମ କରି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୧ ହଜାର ଅତିକ୍ରମ କରି ସାରିଲାଣି।

Share