ମହାରାଷ୍ଟ୍ରରେ ବନ୍ଧା ପଡ଼ିଛନ୍ତି ଦୁଇ ଦାଦନ, ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକଙ୍କ ନିବେଦନ

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଦାଦନ ମହାରାଷ୍ଟ୍ରରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି। ଦାଦନଙ୍କ ମୁକ୍ତି ପାଇଁ ତାଙ୍କ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ପ୍ରକାଶ ଯେ, କାମଧନ୍ଦା ଅନ୍ବେଷଣ ଏବଂ ଅଧିକ ଆୟ ଲୋଭରେ ଦଲାଲଙ୍କ କଥାରେ ଭାସି ଯାଇ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ହାରାମାଲ ଗାଁର ଆଠଜଣ ବ୍ୟକ୍ତି ମହାରାଷ୍ଟ୍ରକୁ ଦାଦନ ଖଟିବାକୁ ଯାଇଥିଲେ। ଜଣେ ଦଲାଲ ଟଙ୍କାର ପ୍ରଲୋଭନ ଦେଖାଇ ୮ ଯୁବକଙ୍କୁ ମହାରାଷ୍ଟ୍ରର ପୁଣେକୁ ନେଇଥିଲେ। ସେଠାରେ ଠିକାଦାରଙ୍କ ନିର୍ଯାତନା ସହି ନ ପାରି କୌଣସି ପ୍ରକାରେ ୬ ଜଣ ଖସି ଆସିଥିଲେ। ତେବେ ଅନ୍ୟ ୨ ଜଣ ସେଠାରେ ବନ୍ଧା ପଡ଼ିଛନ୍ତି। ସେମାନେ ହେଲେ ହାରାମାଲ ଗାଁର ନରୋତ୍ତମ ଶବର (୩୦) ଓ ବ୍ରାହ୍ମଣକେନ୍ଦୁଗୁଡାର ରୁପେନ୍ଦ୍ର ମାଝି (୧୮)। ଦଲାଲଙ୍କ ସହିତ ପରିବାରବର୍ଗ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍‌ ଉଠାଉ ନାହାନ୍ତି। ଠିକାଦାରଙ୍କ କବଳରୁ ଫେରି ଆସିଥିବା ଅନ୍ୟ ୬ ଜଣ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ନରୋତ୍ତମ ଓ ରୂପେନ୍ଦ୍ରଙ୍କୁ ଦାଦନ ଦଲାଲ ୫୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ତେବେ ବନ୍ଧା ପଡ଼ିଥିବା ନରୋତ୍ତମଙ୍କ ସ୍ତ୍ରୀ ପ୍ରମୋଦିନୀ ଓ ଆଈ ପାର୍ବତୀ ଏବଂ ରୁପେନ୍ଦ୍ରଙ୍କ ବାପା ଗୁରୁବାରୁ ମାଝି ଓ ସମ୍ପର୍କୀୟ ଶୁକଲ ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦ, ଏସ୍‌ପି ବି.ଗଙ୍ଗାଧର ଏବଂ ଉପ ଶ୍ରମଆୟୁକ୍ତଙ୍କଠାରେ ଫେରାଦ ହୋଇ ଦାଦନଙ୍କୁ ଫେରାଇ ଆଣିବା ନିମନ୍ତେ ନିବେଦନ କରିଛନ୍ତି।