Categories: ଜାତୀୟ

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି: ରାମନାଥ କୋବିନ୍ଦ ଦେଲେ ମଞ୍ଜୁରୀ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଶେଷ ହେବାର ୧୮ ଦିନ ପରେ ବି ସରକାର ଗଢ଼ିବା ନେଇ ଚିତ୍ର ଅସ୍ପଷ୍ଟ ହେବାରୁ ଶେଷରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ରାଜ୍ୟରେ ଏହି ଶାସନ ଲାଗୁ କରାଯାଇଛି। ରାଜ୍ୟପାଳ ଭଗତ ସିଂହ କୋସିଆରୀ କେନ୍ଦ୍ର ସରକାରଙ୍କୁ ରାଜ୍ୟରେ ଉପୁଜିଥିବା ସାମ୍ବିଧାନିକ ସଙ୍କଟ ସମ୍ପର୍କରେ ରିପୋର୍ଟ ଦେବା ସହ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ଏହାକୁ ଅନୁମୋଦନ କରିବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇଯାଇଥିଲା। ରାଷ୍ଟ୍ରପତି ଏହି ଅନୁମୋଦନକୁ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ, ରବିବାର ଭାଜପା ରାଜ୍ୟପାଳ କୋସିଆରୀଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ନିଜର ଅସମର୍ଥତା ପ୍ରକାଶ କରିବା ପରେ ରାଜ୍ୟପାଳ ଶିବସେନା ଏବଂ ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। କିନ୍ତୁ ୨୪ଘଣ୍ଟା ଭିତରେ କୌଣସି ସଙ୍କେତ ନ ମିଳିବା ପରେ ରାଜ୍ୟପାଳ ରାଷ୍ଟ୍ରପତି ସାମ୍ବିଧାନିକ ସଙ୍କଟ ସମ୍ପର୍କରେ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଥିଲେ।

Share