Categories: ଜାତୀୟ

ମହାରାଷ୍ଟ୍ରରେ ହୋଟେଲ ରାଜନୀତି: କଂଗ୍ରେସର ଅଭିଯୋଗ; ଭାଜପା ଚଳାଇଛି ଘୋଡ଼ାବେପାର ଉଦ୍ୟମ

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧୀନ ସରକାରକୁ ଆସ୍ଥାଭୋଟର ସମ୍ମୁଖୀନ ହେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି। ଏଭଳି ସମୟରେ ଭାଜପା ପକ୍ଷରୁ ଘୋଡ଼ାବେପାର ଉଦ୍ୟମ ଚାଲିଥିବା କଂଗ୍ରେସ ଅଭିଯୋଗ ଆଣିଛି।
ବରିଷ୍ଠ କଂଗ୍ରେସ ନେତା ଅଶୋକ ଚଭନ କହିଛନ୍ତି, ଭାଜପା ମୁମ୍ବାଇରେ କେତେକ ହୋଟେଲ ରୁମ୍‌ ବୁକ୍‌ କରିଛି। ଏହାସହ କଂଗ୍ରେସର କେତେଜଣ ବିଧାୟକଙ୍କ ସହ ଦଳବଦଳ ପାଇଁ ଯୋଗାଯୋଗ କରୁଛି। ସେହିପରି ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଭାଜପାକୁ ଡେଇଁଥିବା ରାଧାକୃଷ୍ଣ ପାଟିଲ, ରାଜ୍ୟ ସଭା ସଦସ୍ୟ ନାରାୟଣ ରାଣେ, ଏନ୍‌ସିପିରୁ ଭାଜପାରେ ମିଶିଥିବା ବିଧାୟକ ଗଣେଶ ନାଏକ ଏବଂ ବାବନରାଓ ପଚପୁଟେଙ୍କୁ ଅନ୍ୟ ଦଳର ବିଧାୟକଙ୍କୁ ଯେଗାଡ଼ ପାଇଁ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି। ତେବେ କଂଗ୍ରେସ ବିଧାୟକମାନେ ଏକଜୁଟ ଅଛନ୍ତି। ସେମାନଙ୍କୁ ଶିକାର କରାଯାଇ ପାରିବ ନାହିଁ ବୋଲି ଚଭନ ଦୃଢ଼ୋକ୍ତି ବାଢ଼ିଛନ୍ତି। ଭାଜପାର ଘୋଡ଼ାବେପାର ଉଦ୍ୟମକୁ ଏଡ଼ାଇବା ପାଇଁ ଶିବସେନା, ଏନ୍‌ସିପି ଓ କଂଗ୍ରେସ ବିଧାୟକମାନଙ୍କୁ ବିଭିନ୍ନ ହୋଟେଲରେ ରଖାଯାଇଛି। ରେନେସାଁ ହୋଟେଲରେ ଥିବା ଏନ୍‌ସିପି ବିଧାୟକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦଳ ପକ୍ଷରୁ ଯୋଜନା ଚାଲିଥିବା ଜଣାପଡ଼ିଛି।

‘ଆସ୍ଥାଭୋଟରୁ ପଳାୟନ କରୁଛି ଭାଜପା’


ମହାରାଷ୍ଟ୍ର ବିଧାନସଭାରେ ବହୁମତ ନ ଥିବାରୁ ଭାଜପା ଆସ୍ଥାଭୋଟରୁ ପଳାୟନ କରୁଛି ବୋଲି ରବିବାର କଂଗ୍ରେସ ସମାଲୋଚନା କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, ଭାଜପା ଓ ଏନ୍‌ସିପିର ଅଜିତ ପାଓ୍ବାର ସାମ୍ବିଧାନିକ ମୂଲ୍ୟବୋଧକୁ ମଳିନ କରିଛନ୍ତି। ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱାଧୀନ ସରକାର ଅବୈଧ। ସାମ୍ପ୍ରତିକ ସଙ୍କଟର କେବଳ ଗୋଟିଏ ଉତ୍ତର ହେଉଛି ଆସ୍ଥାଭୋଟ।

Share