ମହାରାଷ୍ଟ୍ରରେ ୧,୮୦୯ ପୋଲିସ କରୋନା ସଂକ୍ରମିତ

ମୁମ୍ବାଇ,୨୫।୫: ମହାରାଷ୍ଟ୍ରରେ କରୋନା ସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ବିଶେଷ ଭାବେ କରୋନା ଯୋଦ୍ଧା ସାଜି ସାଧାରଣ ଜନତାକୁ କରୋନା କବଳରୁ ରକ୍ଷା କରିବାକୁ ଅଣ୍ଟା ଭିଡିଥିବା ପୋଲିସ ଏବେ ସଙ୍କଟରେ। ଗୋଟିଏ ଦିନରେ ମହାରାଷ୍ଟ୍ର ପୋଲିସରେ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୮୦୯ରେ ପହଞ୍ଚିଛି। ଯାହା ଉଭୟ ସରକାର ଓ ପୋଲିସ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଛି। ତେବେ ସଂକ୍ରମିତଙ୍କ ମଧ୍ୟରେ ୧୯୪ ଜଣ ପୋଲିସ ଅଧିକାରୀ ଥିବା ବେଳେ ୧,୬୧୫ ଜଣ ଅନ୍ୟ ର଼୍ୟାଙ୍କର ରହିଛନ୍ତି। ଏପର୍ଯ୍ୟନ୍ତ ଚିହ୍ନଟଙ୍କ ମଧ୍ୟରୁ ୧୮ ଜଣ ପୋଲିସଙ୍କ ମୃତ୍ୟୁ ହୋଇଥିବା ବେଳେ ୬୭୮ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି। ତେବେ ମହାରାଷ୍ଟ୍ରରେ ଏବେ ମୋଟ ୫୦,୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୪,୬୦୦ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୧,୬୩୫ ଜଣଙ୍କ ମୃତ୍ୟୁ ହୋଇଛି।

Share