ମହାରାଷ୍ଟ୍ରରେ ୨,୫୬୨ ପୋଲିସ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୩୩

ମୁମ୍ବାଇ, ୭।୬: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଆଗୁଆ ରହିଛି। ରାଜ୍ୟ ପୋଲିସ ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟ ପୋଲିସ ବିଭାଗର ୨,୫୬୨ ଜଣ କରୋନରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ଯୋଦ୍ଧା ବୋଲାଉଥିବା ପୋଲିସଙ୍କ ପାଇଁ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଛି। ମୃତ ପୋଲିସଙ୍କ ପରିବାରକୁ ୬୫ ଲକ୍ଷର ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ । ଏହା ସହିତ ପରିବାର ଜଣେ ସଦସ୍ୟଙ୍କୁ ସରକାରି ନିଯୁକ୍ତି ସୁଯୋଗ ମଧ୍ୟ ମିଳିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୯୬୮ ରହିଛି। ସେଥିମଧ୍ୟରୁ ୩୭ ହଜାର ୩୯୦ ସୁସ୍ଥ ହୋଇ ସାରିଛନ୍ତି। ଏବେ ୪୨ ହଜାର ୬୦୯ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ଇତିମଧ୍ୟରେ ୨,୯୬୯ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Share