ମହାରାଷ୍ଟ୍ର, ଗୁଜରାଟରୁ ୮ ବସ୍‌ରେ ଆସିଲେ ପ୍ରବାସୀ

ଭଞ୍ଜନଗର,୨୬।୫(ଡି.ଏନ.ଏ)-ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ ଆସୁଥିଲେ ମଧ୍ୟ ଏବେ ବି ଗଞ୍ଜାମ ଜିଲାକୁ ବସ୍‌, କାର ଓ ବାଇକ୍‌ ଯୋଗେ ପ୍ରବାସୀ ଓଡ଼ିଆ ଫେରୁଥିବା ଦେଖାଯାଉଛି। ସୋମବାର ଗୁଜରାଟ ଓ ମହାରାଷ୍ଟ୍ରରୁ ୮ଟି ବସ୍‌ରେ ପ୍ରବାସୀ ଗଞ୍ଜାମ ଜିଲାକୁ ଫେରିଛନ୍ତି । ଏଥିସହ ଏକାଧିକ ବାଇକ୍‌ ଓ କାରରେ ବି ଲୋକେ ଆସିଛନ୍ତି । ତାରସିଂଠାରେ ସେମାନଙ୍କୁ ଯାଞ୍ଚ କରାଯିବା ପରେ ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରାଯାଉଛି । ଦୈନନ୍ଦିନ ହଜାର ହଜାର ଓଡ଼ିଆ ଆସୁଥିବାରୁ ସଙ୍ଗରୋଧ କେନ୍ଦ୍ର ଅଭାବ ଦେଖାଦେଲାଣି। ଏଭଳି ସ୍ଥିତିରେ ସଙ୍ଗରୋଧ ନିୟମ ପରିବର୍ତ୍ତନ କରାଯାଇଛି। ତେଣୁ ଭଞ୍ଜନଗର ଉପଖଣ୍ଡର ଅଧିକାଂଶ ସଙ୍ଗରୋଧ କେନ୍ଦ୍ରରେ ଆଗରୁ ଥିବା ଅନ୍ତେବାସୀଙ୍କୁ ଘରକୁ ଛଡ଼ାଯାଇ ନୂଆଙ୍କୁ ରଖାଯାଉଛି। କାଁ ଭାଁ କେଉଁଠି କିଛି ସମସ୍ୟା ଦେଖାଦେଉଛି। ଅନ୍ୟପକ୍ଷରେ ଭଞ୍ଜନଗର ବ୍ଲକର କ୍ୱାରାଣ୍ଟାଇନ ସେଣ୍ଟର ବାହାରୁ ଜଣେ ମହିଳା ୫ଦିନ ପୂର୍ବେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିତ୍ଲେ। ତାଙ୍କ ସହ ମିଶିଥିବା ବ୍ୟକ୍ତିଙ୍କ ସ୍ବାବ୍‌ ସଂଗ୍ରହ କରି ୫ଦିନ ତଳୁ ପରୀକ୍ଷା ପାଇଁ ନିଆଗଲାଣି। ସୋମବାର ସୁଦ୍ଧା ସେମାନଙ୍କ ରିପୋର୍ଟ ଆସି ପାରୁ ନ ଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ଦ୍ୱନ୍ଦ୍ୱରେ ପଦାକୁ ବାହାରିବାକୁ ଭୟ କରୁଛନ୍ତି । ତେବେ କୌଣସିଠାରେ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବାରୁ ଲୋକେ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Share