ମହାରାଷ୍ଟ୍ର ଦର୍ଶକଙ୍କ ପାଇଁ ଖୁସି ଖବର: ଫିଲ୍ମ ତାନାଜୀ ହେଲା ଟ୍ୟାକ୍ସ ଫ୍ରି

ମୁମ୍ବାଇ,୨୨।୧: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ଓ୍ବାରିୟର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଥିବା ବେଳେ ଫିଲ୍ମ ଭଲ ବ୍ୟବସାୟ କରୁଛି। ସୂଚନା ମୂତାବକ ଏହି ଫିଲ୍ମ ଖୁବ୍‌ଶୀଘ୍ର ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଗୋଟିଏ ପଟେ ଏହି ଐତିହାସିକ ଫିଲ୍ମ ପ୍ରତି ଲୋକଙ୍କ ରୁଚି ବୃଦ୍ଧି ପାଉଛି। ଅନ୍ୟପଟେ ଏହା ତାନାଜୀ ମାଲସୁରେଙ୍କ କାହାଣୀକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛି। ତେବେ ଏହି ଫିଲ୍ମ ପାଇଁ ଆଉ ଏକ ଖୁସି ଖବର ଆସିଛି। ଉତ୍ତରପ୍ରଦେଶରେ ଜିଏସ୍‌ଟି ଫ୍ରି ଓ ହରିୟାଣାରେ ଟ୍ୟାକ୍ସ ଫ୍ରି ହେବାପରେ ଏବେ ମହାରାଷ୍ଟ୍ରରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। ବୁଧବାର କ୍ୟାବିନେଟ ବୈଠକ ପରେ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହାକୁ ଟ୍ୟାକ୍ସ ଫ୍ରି କରିବାକୁ ନେଇ ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମଧ୍ୟରେ ମତଭେଦ ଦେଖାଦେଇଥିଲା। ରାଜ୍ୟରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବାଲାସାହେବ ଥୋରାଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଦାବି କରିଥିଲେ।

Share