Categories: ଜାତୀୟ

ମହାରାଷ୍ଟ୍ର ପାଇଁ ଅଧିକ ଆଲୋଚନା ଆବଶ୍ୟକ

ନୂଆଦିଲ୍ଲୀ,୧୯ା୧୧(ପି.ଟି.)-ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତାର ଅନ୍ତ ଘଟୁନାହିଁ। ଏନ୍‌ସିପି ନେତା ଶରଦ ପାଓ୍ବାର ସୋମବାର ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଭେଟି ୪୫ ମିନିଟ ଆଲୋଚନା କରିଥିଲେ। ସେମାନେ ମହାରାଷ୍ଟ୍ର ରାଜନୀତି ନେଇ ଆଲୋଚନା କରିଥିଲେ ହେଁ ସରକାର ଗଠନ ଏବଂ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ ସମ୍ପର୍କରେ କଥା ହୋଇ ନ ଥିବା ଜଣାପଡିଛି। କୌଣସି ଦଳ ସହ ମେଣ୍ଟ ନେଇ ଆଲୋଚନା ହୋଇନାହିଁ। ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଧିକ ଆଲୋଚନାର ଆବଶ୍ୟକତା ରହିଥିବା ବୈଠକ ପରେ ପାଓ୍ବାର ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପକ୍ଷରେ ଏନ୍‌ସିପି ନେତା ଭାଜପା ସହ ମେଣ୍ଟ କରିବାକୁ ଦ୍ୱାର ଖୋଲାରଖିଥିବା ଚର୍ଚ୍ଚା ହେଉଥିଲାବେଳେ ଏହାକୁ ପାଓ୍ବାର ଖଣ୍ଡନ କରିଛନ୍ତି। ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ। ଭାଜପା ୧୦୫ ଆସନ ଜିତିଥିଲାବେଳେ ଶିବସେନାକୁ ୫୬ ଆସନ ମିଳିଛି। ସେମାନେ ନିଜର ମାର୍ଗ ନିର୍ଦ୍ଧାରଣ କରିବା ଉଚିତ। ଭାଜପାକୁ ସମର୍ଥନ ଦେବା ପ୍ରଶ୍ନ ଉଠୁନାହିଁ ବୋଲି ଏନ୍‌ସିପି ନେତା କହିଛନ୍ତି। ଶିବସେନା ସହ ମେଣ୍ଟ ପ୍ରସ୍ତାବକୁ କଂଗ୍ରେସ ନେତ୍ରୀ ବିରୋଧ କରୁଛନ୍ତି କି ପ୍ରଶ୍ନରେ ସେପରି କିଛି ଆଲୋଚନା ହୋଇ ନ ଥିବା ଏନ୍‌ସିପି ମୁଖ୍ୟ କହିଥିଲେ।

Share