ମହାରାଷ୍ଟ୍ର ରାଜନୀତିକୁ ନେଇ ଭାଇରାଲ ହେଉଛି ରାକ୍ଷୀ ସାଓ୍ବନ୍ତଙ୍କ ଭିଡିଓ

ମୁମ୍ବାଇ: ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ଏମିତି ଜଣେ ଅଭିନେତ୍ରୀ ଯେ ସବୁବେଳେ ପ୍ରତିଦିନର ଘଟଣା ଉପରେ ନଜର ରଖିଥାଆନ୍ତି। କେବଳ ସେତିକି ନୁହେଁ ଅଧିକାଂଶ ଘଟଣାକୁ ନେଇ ସେ ନିଜର ମତ ମଧ୍ୟ ଦେଇଥାଆନ୍ତି। ଏବେ ମହାରାଷ୍ଟ୍ର ରାଜନୀତି ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏହାକୁ ନେଇ ରାକ୍ଷୀ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଆଉ ଏବେ ପର୍ଯ୍ୟନ୍ତ ଏହାକୁ ୩୪ ହଜାର ଥର ଦେଖା ସରିଥିବା ଜଣାପଡିଛି। ଶନିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାଓ୍ବାର ଶପଥ ଗ୍ରହଣ କରିବା ପରେ ଏବେ ସେଠାରେ ରାଜନୀତି ହୋଇଛି ସରଗରମ। ରାତାରାତି ଏଠି ସବୁ ଗଣିତ ଓଲଟ ପାଲଟ ହୋଇଯାଇଛି। ଗୋଟିଏ ପଟେ ଶିବସେନା ଏନ୍‌ସିପି ଓ କଂଗ୍ରେସକୁ ନେଇ ସରକାର ଗଠନ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ରାତାରାତି ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ହାତ କରି ଭାଜପା ସେଠାରେ ସରକାର ଗଠନ କରିଛି। ଏହାକୁ ନେଇ ରାକ୍ଷୀ ଉକ୍ତ ଭିଡିଓରେ କହିଛନ୍ତି, ଉଦ୍ଧବ ଠାକରେଙ୍କୁ ମୁଁ ବହୁ ପୂର୍ବରୁ କହିଥିଲି ଯାହା କରିବା କଥା ଶୀଘ୍ର କରନ୍ତୁ। କାରଣ ଆଲୋଚନା କରିବା ପାଇଁ ଆଉ ସମୟ ନାହିଁ। ନଚେତ୍‌ ଏହା ବଡ ଭୁଲ୍‌ ହେବ। ଆଉ ଏବେ ତାହା ସତ ହୋଇଛି ବୋଲି ରାକ୍ଷୀ କହିଛନ୍ତି। ସେ ଆହୁରି ମଧ୍ୟ ଶିବସେନା ଉଦ୍ଦେଶ୍ୟରେ କହିଛନ୍ତି, ଏନ୍‌ସିପି ଶିବସେନା ସହ ମେଣ୍ଟ କରୁଥିବା ବେଳେ ରାତାରାତି କେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏଥିରେ ଓଲଟ ପାଲଟ କରିଦେଲେ ଦେଖିଲେତ। କାରଣ ସେମାନେ ଗୁଜରାଟି ଓ ସେମାନଙ୍କ ମସ୍ତିଷ୍କ କ୍ଷୁବ୍‌ ତୀକ୍ଷ୍ନ। ମୁଁ ବି ଗୁଜରାଟି ସେଥିପାଇଁ ଉଦ୍ଧବଙ୍କୁ କହିଥିଲି ଯେତେଶୀଘ୍ର ସରକାର ଗଠନ କରିବାକୁ ନିଷ୍ପତ୍ତି ନିଅ। ହେଲେ ସେ ଏଥିରେ ବିଳମ୍ବ କରିଦେଲେ। ରାକ୍ଷୀଙ୍କର ଏମିତି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ।

Share