Categories: ଜାତୀୟ

ମହାରାଷ୍ଟ୍ର ରାଜନୀତିରେ ନୂଆ ଅଧ୍ୟାୟ: ଛିଣ୍ଡିଗଲା ଭାଗବଣ୍ଟା

ନାଗପୁର/ମୁମ୍ବାଇ,୧୬ା୧୧ (ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ପ୍ରଥମଥର ପାଇଁ ଶିବସେନା ସହ ମିଶି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଓ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛନ୍ତି। ଉଦ୍ଧବ ଠାକ୍‌ରେଙ୍କ ଶିବସେନା ପାଖରେ ମୁଖ୍ୟମନ୍ତ୍ରୀ ପଦ ରହିବ ଓ ଏହି ମେଣ୍ଟ ପୂରା ୫ ବର୍ଷ ସ୍ଥିର ସରକାର ଦେବ। ଏଥିସକାଶେ ଆବଶ୍ୟକ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ (ସିଏମ୍‌ପି)ଚୂଡ଼ାନ୍ତ ହୋଇଛି ବୋଲି ଏନ୍‌ସିପି ପକ୍ଷରୁ କୁହାଯାଇଛି। ଫଳରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ଏହି ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ସଙ୍କଟ ଦୂର ହେବ ବୋଲି ଆଶା କରାଯାଉଛି।
ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହୋଇ ୨୪ରେ ଫଳାଫଳ ଆସିଥିଲା। ୨୮୮ ଆସନ ମଧ୍ୟରୁ ଭାଜପା ୧୦୫, ଶିବସେନା ୫୬, ଏନ୍‌ସିପି ୫୪ ଓ କଂଗ୍ରେସ ୪୪ ଆସନ ଦଖଲ କରିଛନ୍ତି। ୨୦ ଦିନର ଅଚଳାବସ୍ଥା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଏହାସତ୍ତ୍ୱେ ବିଧାନସଭା ଭଙ୍ଗ ହୋଇ ନ ଥିବାରୁ ସବୁ ରାଜନୈତିକ ଦଳ ସରକାର ଗଠନ ଉଦ୍ୟମ ଜାରି ରଖିଛନ୍ତି। ଏହିକ୍ରମରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଶୁକ୍ରବାର ନାଗପୁରରେ ଖବରଦାତାଙ୍କୁ କହିଛନ୍ତି, ଶିବସେନା-ଏନ୍‌ସିପି-କଂଗ୍ରେସ ସରକାର ଗଠନ ହେବ। ଏହା ପୂରା ୫ ବର୍ଷ ଚାଲିବ। ରାଜ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନର ଆଶଙ୍କା ନାହିଁ। ତିନିଦଳ ଏକ ବିକାଶୋନ୍ମୁଖୀ ସ୍ଥିର ସରକାର ଚାହାନ୍ତି। ଭାଜପା ସହ ସରକାର ଗଠନ ନେଇ ଚାଲିଥିବା ଚର୍ଚ୍ଚାକୁ ପାଓ୍ବାର ଖଣ୍ଡନ କରିଛନ୍ତି। ତିନିଦଳର ମେଣ୍ଟ ଖୁବ୍‌ଶୀଘ୍ର ଭାଙ୍ଗିଯିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ପାଓ୍ବାର ଉତ୍ତର ରଖିଛନ୍ତି। ଫଡ୍‌ନବିସଙ୍କୁ ସେ ବହୁ ବର୍ଷ ଧରି ଜାଣିଛନ୍ତି। ତେବେ ସେ ଜଣେ ଜ୍ୟୋତିଷ ବୋଲି ଜଣାନାହିଁ। ପାଓ୍ବାର ରବିବାର ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ପଦ ଶିବସେନା ପାଖରେ ରହିବ ବୋଲି ପାଓ୍ବାରଙ୍କ ସହଯୋଗୀ ତଥା ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲିକ ସ୍ପଷ୍ଟ କରିଛନ୍ତି। ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ସେ ମୁମ୍ବାଇରେ କହିଛନ୍ତି, ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାଙ୍କ ଦଳରୁ ହେବେ। ରାଜ୍ୟର ସ୍ବାର୍ଥରେ ସିଏମ୍‌ପି କାର୍ଯ୍ୟ କରିବ। ଶିବସେନା କେବଳ ୫ ବର୍ଷ ନୁହେଁ, ବରଂ ୨୫ ବର୍ଷ ପାଇଁ ସରକାରର ନେତୃତ୍ୱ ନେବ। ସେହିପରି କଂଗ୍ରେସ ସହ ମତଭେଦକୁ ନେଇ ପ୍ରଶ୍ନ କରାଯିବାରୁ ସ୍ବାଧୀନତା ସଂଗ୍ରାମ ଓ ମହାରାଷ୍ଟ୍ରର ବିକାଶରେ ଦେଶର ସର୍ବପୁରାତନ ଦଳର ଅବଦାନ ରହିଛି ବୋଲି ସଞ୍ଜୟ ଉତ୍ତର ଦେଇଛନ୍ତି। ଶନିବାର ଏନ୍‌ସିପି- କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Share