Categories: ଜାତୀୟ

ମହାରାଷ୍ଟ୍ର ରାଜନୀତିରେ ସଙ୍କଟ

ମୁମ୍ବାଇ,୧୫।୧୨: ରାହୁଲ ଗାନ୍ଧୀ, ବୀର ସଭରକରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ରାଜନୈତିକ ମୋଡ ନେଲାଣି। ଗୋଟିଏ ଦିନ ପୂର୍ବରୁ ଶିବସେନା କହିଥିଲା ସଭରକରଙ୍କୁ ନେଇ ସେ କୌଣସି ସାଲିସ କରିବ ନାହିଁ। ହେଲେ ରବିବାର ସଭରକର ମାମଲାକୁ ନେଇ ଏନ୍‌ସିପି ନେତା ଅଜିତ ପାଓ୍ବାର ଏକ ବଡ ବୟାନ ଦେଇଛନ୍ତି। ଏହାସହ ମେଣ୍ଟ ସରକାରକୁ ନେଇ ମଧ୍ୟ ସେ ତାଙ୍କ ମନ୍ତବ୍ୟ ରଖିଛନ୍ତି। ରବିବାର ଅଜିତଙ୍କୁ ପ୍ରଶ୍ନ କରାଯାଇଥିଲା କି ରାହୁଲ ଗାନ୍ଧୀଙ୍କ ସଭରକର ବୟାନ ମହାରାଷ୍ଟ୍ରର ମହା ବିକାଶ ଅଘାଡି(କଂଗ୍ରେସ-ଏନ୍‌ସିପି-ଶିବସେନା) ମେଣ୍ଟ ସରକାର ଉପରେ କୌଣସି ପ୍ରଭାବ ପକାଇବ କି। ଏହାର ଉତ୍ତରରେ ଅଜିତ କହିଛନ୍ତି, ଉଦ୍ଧବ ଠାକରେ, ସୋନିଆ ଗାନ୍ଧୀ ଓ ଶରଦ ପାଓ୍ବାର ବୁଝିବା ସୁଝିବା ବ୍ୟକ୍ତି ତେଣୁ ସେମାନେ ଯାହା ଠିକ୍‌ ଭାବିବେ ତାହା କରିବେ। ଏମିତି ବିବାଦୀୟ ବୟାନକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ଟୁଇଟ୍‌ କରି କହିଛନ୍ତି ସଭରକର ହେଉଛନ୍ତି ଈଶ୍ୱର ତୁଲ୍ୟ ତେଣୁ ସ୍ବାଧିନତା ପାଇଁ ସେ ଯେଉଁ ବଳିଦାନ ଦେଇଛନ୍ତି ତାର ତୁଳନା କରିବା କଷ୍ଟକର ବ୍ୟାପାର। ତେଣୁ ଈଶ୍ୱରଙ୍କ ଭଳି ସମସ୍ତ ବ୍ୟକ୍ତିଙ୍କ ସମ୍ମାନ କରିବା ଉଚିତ୍‌।

Share