Categories: ଜାତୀୟ

ମହାରାଷ୍ଟ୍ର ରାୟ ପୂର୍ବରୁ ୩ ଦଳର ଶକ୍ତି ପ୍ରଦର୍ଶନ: ୧୬୨ ବିଧାୟକଙ୍କୁ ପରେଡ୍‌ କରାଇଲେ

ମୁମ୍ବାଇ,୨୬ା୧୧(ପି.ଟି.): ମହାରାଷ୍ଟ୍ର ସରକାରଙ୍କୁ ଆସ୍ଥାଭୋଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପୂର୍ବରୁ ତିନି ବିରୋଧୀ ଦଳ ଶିବସେନା, କଂଗ୍ରେସ ଏବଂ ଏନ୍‌ସିପି ଶକ୍ତି ପ୍ରଦର୍ଶନ କରିଛନ୍ତି। ସୋମବାର ସନ୍ଧ୍ୟାରେ ଏକ ହୋଟେଲରେ ତିନିଦଳ ୧୬୨ ବିଧାୟକମାନଙ୍କୁ ପରେଡ କରାଇଥିଲେ। ଏହି ଶକ୍ତିପ୍ରଦର୍ଶନ ବେଳେ ଶିବସେନା ନେତା ଉଦ୍ଧବ ଠାକ୍‌ରେ, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକମାନେ ଭାଜପା ପ୍ରଲୋଭନରେ ପଡିବେ ନାହିଁ ବୋଲି ସେଠାରେ ଶପଥ ନେଇଥିଲେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ପାଇଁ ୧୪୫ ବିଧାୟକଙ୍କ ଆବଶ୍ୟକତା ଥିବାବେଳେ ବିରୋଧୀ ମହା ବିକାଶ ଅଘାଡି ମେଣ୍ଟ ପାଖରେ ୧୬୨ଜଣଙ୍କ ସମର୍ଥନ ଥିବା ସେମାନେ ଆସ୍ଥାଭୋଟ ପୂର୍ବରୁ ପ୍ରଦର୍ଶନ କରିଛନ୍ତି। ପଞ୍ଚତାରକା ହୋଟେଲ ପରିସରରେ ମେଣ୍ଟ ବିଧାୟକମାନଙ୍କୁ ଉଦ୍‌ବୋଧନ ଦେଇ ପାଓ୍ବାର କହିଥିଲେ, ଭାଜପା ଗୋଆ ଓ ଅନ୍ୟ କେତେକ ରାଜ୍ୟରେ ଅଣସାମ୍ବିଧାନିକ ଉପାୟରେ କ୍ଷମତା ଦଖଲ କରିଥିଲା। ମହାରାଷ୍ଟ୍ର ଗୋଆ ନୁହେଁ। ଏବେ ସେମାନଙ୍କୁ ଶିକ୍ଷାଦେବାର ଉପଯୁକ୍ତ ସମୟ। ଏନ୍‌ସିପି ବିଧାୟକଙ୍କ ଉପରେ ହ୍ବିପ୍‌ ଜାରି କରିବାର କୌଣସି ଅଧିକାର ଅଜିତଙ୍କର ନାହିଁ ବୋଲି ଶରଦ ପାଓ୍ବାର କହିଥିଲେ।
ଅନ୍ୟପକ୍ଷରେ ଶିବସେନା-କଂଗ୍ରେସ-ଏନ୍‌ସିପି ବିଧାୟକମାନଙ୍କ ପରେଡକୁ ଭାଜପା ପରିହାସ କରିଛି। ବିଧାନସଭାରେ ଆସ୍ଥାଭୋଟ ବେଳେ ଭାଜପା ଜିତିବା ନିଶ୍ଚିତ ବୋଲି ଏକ ଖବରଦାତା ସମ୍ମିଳନୀରେ ଭାଜପା ନେତା ଆଶିଷ ଶେଲାର କହିଛନ୍ତି। ବିରୋଧୀ ଦଳଗୁଡିକ ବିଧାୟକଙ୍କ ଚିହ୍ନଟ ଲାଗି ପରେଡ କରାଇବା ଗଣତନ୍ତ୍ର ଓ ରାଜ୍ୟବାସୀଙ୍କ ପ୍ରତି ନିଷ୍ଠୁର ପରିହାସ। ଅପରାଧୀ ଚିହ୍ନଟ ପାଇଁ ଏଭଳି ପରେଡ କରାଯାଇଥାଏ ବୋଲି ଶେଲାର କହିଛନ୍ତି।

Share