Categories: ଜାତୀୟ

ମହାରାଷ୍ଟ୍ର ସରକାରଙ୍କ କ୍ୟାବିନ ନମ୍ବର ୬୦୨ରେ ବସିବାକୁ ଡରୁଛନ୍ତି ମନ୍ତ୍ରୀ

ମୁମ୍ବାଇ,୩୧।୧୨: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ମଧ୍ୟ ସରିଛି। ଏବେ ବିଭାଗ ବଣ୍ଟନ ସହ ମନ୍ତ୍ରୀମାନଙ୍କୁ ସେମାନଙ୍କ ଅଫିସ କ୍ୟାବିନ ବଣ୍ଟା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ସମୟରେ ଚର୍ଚ୍ଚାକୁ ଆସିଛି ୬ ମହଲା ଉପରେ ଥିବା ଏକ କ୍ୟାବିନ। ଏହାକୁ ନେବାକୁ କେହି ରାଜି ହେଉ ନ ଥିବା ଶୁଣିବାକୁ ମିଳିଛି। କୁହାଯାଉଛି ଏହି କ୍ୟାବିନରେ ଆଜି ପର୍ଯ୍ୟନ୍ତ ଯେତେଜଣ ବସିଛନ୍ତି ସେମାନେ ସେମାନଙ୍କ କାର୍ଯ୍ୟକାଳ ପୂରଣ କରିପାରି ନାହାନ୍ତି। ତେଣୁ ସେଠାରେ ବସିବାକୁ ସମସ୍ତେ ଅମଙ୍ଗ ହେଉଛନ୍ତି। ସୂଚନାଯୋଗ୍ୟ, ୬ ମହଲାରେ ଥିବା ୩ହଜାର ବର୍ଗ ଫୁଟର କ୍ୟାବିନ ନମ୍ବର ୬୦୨ ଏପର୍ଯ୍ୟନ୍ତ କାହାକୁ ଦିଆଯାଇ ନାହିଁ। ପୂର୍ବରୁ ଏହାକୁ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ପାଓ୍ବାର ସେଣ୍ଟର କୁହାଯାଉଥିବା ବେଳେ ଏବେ କେବଳ ଅନ୍ଧ ବିଶ୍ୱାସ ଯୋଗୁ କେହି ଏହାକୁ ନେବାକୁ ରାଜି ହେଉ ନାଆନ୍ତି। କୁହାଯାଏ ୨୦୧୪ରେ ଉକ୍ତ କ୍ୟାବିନ(୬୦୨)କୁ କ୍ୟାବିନେଟ ମନ୍ତ୍ରୀ ଥିବା ଏକନାଥ ଖଡସେଙ୍କୁ ଦିଆଯାଇଥିଲା। ସେଠାରେ ସେ ୨ ବର୍ଷ ବସିବା ପରେ ଏକ ଭ୍ରଷ୍ଟାଚାର ମାମଲାରେ ଫସି ଯିବାରୁ ତାଙ୍କୁ ଉକ୍ତ କ୍ୟାବିନ ଛାଡିବାକୁ ପଡିଥିଲା। ଏହାପରେ ଏହି କ୍ୟାବିନ କିଛିଦିନ ଖାଲି ରହିବା ପରେ କୃଷିମନ୍ତ୍ରୀ ପାଣ୍ଡୁରଙ୍ଗ ଫୁଡକରଙ୍କୁ ଦିଆଯାଇଥିଲା। ସେ ସେଠାରେ ୨ ବର୍ଷ ବସିବା ପରେ ୨୦୧୮ ହଠାତ୍‌ ହୃଦଘାତରେ ତାଙ୍କର ମୃତ୍ୟୁ ହେଲା। ଏହାପରେ କୃଷି ବିଭାଗ ଅନୀଲ ବୋଣ୍ଡେଙ୍କୁ ଦିଆଯାଇଥିଲା। ଆଉ ସେ ସେଠାରେ ବସିବା ସହ ଚଳିତ ବିଧାନସଭା ନିର୍ବାଚନରେ ଲଢିବା ପରେ ହାରି ଯାଇଥିବା ମଧ୍ୟ କୁହାଯାଉଛି। କଥା ହେଲା ଏବେ ମହାରାଷ୍ଟ୍ର ମନ୍ତ୍ରୀମାନେ କ୍ୟାବିନ ନମ୍ବର ୬୦୨କୁ ଅଶୁଭ ବୋଲି ଧରି ନେଇଥିବା ଆଲୋଚନା ହେଉଛି।

Share