ମହାରାଷ୍ଟ୍ର, ହରିୟାଣା ପାଇଁ ଭାଜପାର ୨ୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୩ା୧୦(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହରିୟାଣା ପାଇଁ ଏହି ପର୍ଯ୍ୟାୟରେ ୧୪ ଜଣଙ୍କ ନାଁ ଘୋଷଣା ହୋଇଥିବାବେଳେ ମହାରାଷ୍ଟ୍ର ପାଇଁ ୧୨ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି। ହରିୟାଣାରେ ସୁଧୀର ସିଙ୍ଗଲା ଗୁରୁଗ୍ରାମରୁ, ନିର୍ମଳ ଚୌଧୁରୀ ଗନାଉରରୁ, ସୋନାଲି ଫୋଗତ ଆଦମପୁରରୁ ନିର୍ବାଚନ ଲଢ଼ିବେ। ମହାରାଷ୍ଟ୍ରରେ ଏନ୍‌ସିପି ଛାଡି ଭାଜପାରେ ଯୋଗଦେଇଥିବା ନମିତା ମୁଣ୍ଡଦାଙ୍କୁ କୈଜ୍‌ରୁ ପ୍ରାର୍ଥୀ କରାଯାଇଛି। ଭାଜପା ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର ପାଇଁ ୧୨୫ ଓ ହରିୟାଣା ପାଇଁ ୭୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।
ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲାଙ୍କ ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ (ଆଇଏନ୍‌ଏଲ୍‌ଡି) ପ୍ରଥମ ପର୍ଯ୍ୟାୟରେ ୬୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଚୌତାଲାଙ୍କ ସାନପୁଅ ଅଭୟ ଏଲେନାବାଦରୁ ପ୍ରାର୍ଥୀ ହୋଇଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଚୌତାଲା ଓ ତାଙ୍କ ବଡ଼ପୁଅ ଅଜୟ ସିଂ ଦୋଷୀସାବ୍ୟସ୍ତ ହୋଇ ଜେଲ୍‌ରେ ଥିବାରୁ ସେମାନେ ନିର୍ବାଚନ ଲଢ଼ିପାରିବେ ନାହିଁ। ଆଇଏନ୍‌ଏଲ୍‌ଡିରୁ ଅଲଗା ହୋଇ ଅଜୟ ଚୌତାଲାଙ୍କ ପୁଅ ଦୁଶ୍ୟନ୍ତ ଜନନାୟକ ଜନତା ପାର୍ଟି (ଜେଜେପି) ଗଠନ କରିଥିବାବେଳେ ଉକ୍ତ ଦଳ ୨୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

Share