ମହାଳୟା: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ

ପୁରୀ ଅଫିସ, ୨୮।୯: ଶନିବାର ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଥାଏ। ଯେଉଁ ତିଥିରେ ଯାହାଙ୍କର ପିତା ମୃତ୍ୟୁବରଣ କରିଥାନ୍ତି, ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନ ଥାନ୍ତି, ସେମାନେ ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି। ଏଣୁ କେହି ଶ୍ରୀମନ୍ଦିର ବାଇଶିପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରୁଥିବା ବେଳେ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରୁଛନ୍ତି। ତର୍ପଣ ପିତୃପକ୍ଷରେ ପ୍ରତ୍ୟେକ ଗୃହସ୍ଥ ନିଜର ପିତା, ପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି। ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। ପିତୃପକ୍ଷରେ ପୁତ୍ରଙ୍କ ହସ୍ତରୁ ଜଳ ଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି ବୋଲି ବିଶ୍ୱାସ ରହିଛି।