ମହାଶିବରାତ୍ରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ପବିତ୍ର ମହାଶିବରାତ୍ରି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର ପୃଷ୍ଠାରେ ପ୍ରଭୁ ଲିଙ୍ଗରାଜ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର କିଛି ଫଟୋକୁ ଶେୟାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ଏହି ଶୋଭାବର୍ଦ୍ଧନକାରୀ ଦୃଶ୍ୟ ବେଶ ମନୋରମ। ପବିତ୍ର ମହାଶିବରାତ୍ରିରେ ଏକ ଭବ୍ୟ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମହାଶିବରାତ୍ରି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ଭୋର୍‌ରୁ ମଧ୍ୟାହ୍ନ ହୋଇଥିଲେ ସୁଦ୍ଧା ଶ୍ରଦ୍ଧାଳୁମାନେ ଧାଡ଼ି କରି ଶିବଙ୍କ ଦର୍ଶନ କରିବାକୁ ଅପେକ୍ଷା କରି ରହିଛନ୍ତି। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବିଭିନ୍ନ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share