Advertisement

ମହାଶିବରାତ୍ରି: ପାଟଣା ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ପାଟଣା,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳ ଶିବରାତ୍ରି ସକାଶେ ଉତ୍ସବମୁଖର ହୋଇଉଠିଛି। ଶୁକ୍ରବାର ଭୋର ୪ଟାରୁ ମୁଖ୍ୟାଳୟସ୍ଥିତ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି। ପାଟଣା ମୁଖ୍ୟାଳୟସ୍ଥିତ ପ୍ରାଚୀନ ଶୈବପୀଠ ଆନନ୍ଦେଶ୍ୱର ମହାଦେବ, ବୈତରଣୀ ନଦୀ କୂଳରେ ଅବସ୍ଥିତ ପରମେଶ୍ୱର ମହାଦେବ, ସ୍ବାମ ଶାସନର ସୋମେଶ୍ୱର ମହାଦେବ ମନ୍ଦିର ସହ ତୁରୁମୁଙ୍ଗା, ସରାସକୋଲା, ମଲ୍ଲୀପଶି, ଚିଲିଦା, କେନ୍ଦେଇପଶି ଓ ଟାଙ୍ଗରଡ଼ା ଆଦି ଗ୍ରାମରେ ଥିବା ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ପାଟଣା ମୁଖ୍ୟାଳୟସ୍ଥିତ ଆନନ୍ଦେଶ୍ୱର ଶିବମନ୍ଦିରରେ ୨୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ଘଟିଛି। ମନ୍ଦିର ପରିଚାଳନା କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ରାତ୍ରି ୧୧ ଟାରେ ମହାଦୀପ ପ୍ରଜ୍ବଳିତ ହେବା ସକାଶେ ସମୟ ନିର୍ଘଣ୍ଟ ହୋଇଛି। ଶନିବାରଠାରୁ ଆନନ୍ଦେଶ୍ୱରଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପାଟଣା ପୋଲିସ, ସ୍ଥାନୀୟ ମହାବିଦ୍ୟାଳୟର ସ୍କାଉଟ ଗାଇଡ ଛାତ୍ରୀଛାତ୍ର, ଜିଏନ୍‌ ହାଇସ୍କୁଲ ଓ ବାଳିକା ବିଦ୍ୟାଳୟର ଛାତ୍ରୀଙ୍କ ତରଫରୁ ଭକ୍ତମାନଙ୍କୁ ଶୃଙ୍ଖଳାର ସହ ଦେବ ଦର୍ଶନ କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share