ମହାଶ୍ୱେତା, ଶ୍ରୀତମଙ୍କ ରୋଡ୍‌ ଶୋ

ପାଲଲହଡ଼ା, ୨୦ା୪(ଡି.ଏନ.ଏ.)- ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତିଙ୍କ ପାଇଁ ଶୁକ୍ରବାର ରୋଡ୍‌ ଶୋ କରିଛନ୍ତି ଓଲିଉଡ କଳାକାର ମହାଶ୍ୱେତା ରାୟ ଓ ଶ୍ରୀତମ ଦାସ। ମଧ୍ୟାହ୍ନ ୧୨ଟାରେ ଦୁଇ କଳାକାର ହେଲିକପ୍ଟର ଯୋଗେ ପାଲଲହଡ଼ା ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରୁ ସ୍ବତନ୍ତ୍ର ଗାଡ଼ି ଯୋଗେ ରୋଡ୍‌ ଶୋରେ ବାହାରିଥିଲେ। ଉଭୟେ ବିଭିନ୍ନ ଓ୍ବାର୍ଡ, ମୁଖ୍ୟ ବଜାର, ବସ୍‌ଷ୍ଟାଣ୍ଡ ବୁଲି ଶିଗଡ ପଞ୍ଚାୟତକୁ ଯାଇଥିଲେ। ପରେ ବାଲିପଶି ପଞ୍ଚାୟତ, ଫପଣ୍ଡ ଗ୍ରାମକୁ ଯାଇ ଅଶୋକଙ୍କ ପାଇଁ ପ୍ରଚାର କରିବା ସହ ଲୋକଙ୍କୁ ଭୋଟ ମାଗିଥିଲେ। ଏହି ରୋଡ଼ ଶୋରେ ଭାଜପା ବରିଷ୍ଠ ନେତା ଲିଙ୍ଗରାଜ ଦାସ, ତନ୍ମୟ କୁମାର ସାହୁ, ଧର୍ମେନ୍ଦ୍ର ସାହୁ, ଦିଲେଶ୍ୱର ସାମଲ, ଶଶିଭୂଷଣ ଆଚାର୍ଯ୍ୟ, ଶୋଭାଙ୍ଗିନୀ ପ୍ରଧାନ, ରଞ୍ଜିତା ନାଥଙ୍କ ସହ ବହୁ ନେତା ଏବଂ କର୍ମୀ ସାମିଲ ହୋଇଥିଲେ। ଅପରପକ୍ଷେ ଦୁଇ କଳାକାର ହେଲିକପ୍ଟର ଯୋଗେ ପାଲଲହଡ଼ାରେ ପହଞ୍ଚିବା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିଲା। ଫଳରେ ହେଲିକପ୍ଟର ନିକଟରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଖବରପାଇ ପୋଲିସ ପ୍ରାୟ ୨୦ ମିନିଟ୍‌ ପରେ ସେଠାରେ ପହଞ୍ଚି ଭିଡ଼ ନିୟନ୍ତ୍ରିତ କରିଥିଲା। ଏ ସମ୍ପର୍କରେ ପୋଲିସ ଅଧିକାରୀ ଯଶୋବନ୍ତ ସାମଲ ଏବଂ ପାଲଲହଡା ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲଙ୍କୁ ପଚାରିବାରେ କହିଛନ୍ତି, ଏପରି କାର୍ଯ୍ୟକ୍ରମ ହେବ ବୋଲି ପୂର୍ବରୁ ପୋଲିସକୁ ଜଣାଯାଇ ନ ଥିଲା କି ଭାଜପା ପକ୍ଷରୁ ସୂଚନା ଦିଆଯାଇ ନ ଥିଲା। କିନ୍ତୁ ଖବର ମିଳିବା ମାତ୍ରେ ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିଲା।

Share