ମହିଳାଙ୍କୁ ଅଟୋରେ ଅପହରଣ ପରେ ଅସଦାଚରଣ ଘଟଣା: କନ୍‌ଷ୍ଟେବଳ ସମେତ ୩ ଗିରଫ

ଭୁବନେଶ୍ୱର,୩ା୬(ବ୍ୟୁରୋ): ଖାକିରେ ପୁଣି ଲାଗିଲା ଦାଗ। ମହିଳାଙ୍କୁ ଥାନାରେ ଛାଡ଼ି ଦେବାକୁ କହି ଖଣ୍ଡଗିରି ପିସିଆର କନ୍‌ଷ୍ଟେବଳ ଓ ତାଙ୍କର ଦୁଇ ସହଯୋଗୀ ଅଟୋରେ ଅପହରଣ କରିବା ସହ ଅସଦାଚରଣ କରିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ମାମଲାକୁ ପ୍ରାଣପଣେ ପୋଲିସ ଚାପିବାକୁ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ଘଟଣା ପ୍ରଘଟ ହେବା ପରେ ପୋଲିସ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଦଫା ୩୬୫, ୩୪୨, ୩୫୪, ୩୪ରେ ଏକ ମାମଲା (ନଂ. ୨୩୫/୨୦୨୦) ରୁଜୁ କରି ଓଏସ୍‌ପିଏଫ୍‌ (ଓଡ଼ିଶା ସ୍ପେଶାଲ ଆର୍ମ ପୋଲିସ ଫୋର୍ସ)ର ଜଣେ କନ୍‌ଷ୍ଟେବଳ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ପିସିଆର କନ୍‌ଷ୍ଟେବଳ ଦଶରଥ ନାୟକ (୩୦), ରଙ୍ଗେଇଲୁଣ୍ଡାର ଶ୍ରୀକାନ୍ତ କୁମାର (୨୮) ଓ ପାତ୍ରପଡ଼ାର କାଳୁ ବାରିକ (୩୨)। ପୋଲିସ ପୀଡ଼ିତା ମହିଳାଙ୍କ ଡାକ୍ତରୀ ମାଇନା କରିବା ସହ ସିଆର୍‌ପିସି ୧୬୧ରେ ବୟାନ ରେକର୍ଡ କରିଛି। ଏହାସହ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରି କୋର୍ଟଚାଲାଣ କରିଛି। ବୁଧବାର ଅଭିଯୁକ୍ତଙ୍କ ଟିଆଇ ପରେଡ଼ ହେବ ବୋଲି ଏସିପି ଅନିଲ ମିଶ୍ର କହିଛନ୍ତି। ସେମାନେ ମହିଳାଙ୍କୁ କିଭଳି ଅଟୋରେ ଅପହରଣ କରି ସହରର ବିଭିନ୍ନ ସ୍ଥାନକୁ ନେଇ ଅସଦାଚରଣ କଲେ ତାହାର ଡେମୋ ଦେଖାଇବେ। ଏହାର ଭଡିଓ କରାଯାଇ କୋର୍ଟରେ ଦାଖଲ କରାଯିବ ବୋଲି ସେ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ମହିଳା ଜଣଙ୍କ ପରିବାର ଲୋକଙ୍କ ସହ ଶହୀଦନଗର ଥାନା ଅଞ୍ଚଳରେ ରୁହନ୍ତି। ଗତ ରବିବାର ତାଙ୍କ ସ୍ବାମୀଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ମହିଳା ଜଣଙ୍କ ରାତି ୧୧ଟା ହେବ ଚାଲିଚାଲି ଥାନାକୁ ଅଭିଯୋଗ କରିବାକୁ ଆସୁଥିଲେ। ହେଲେ ରୂପାଲି ଛକରେ କନଷ୍ଟେବଳ ଦଶରଥ ଏବଂ ତାଙ୍କ ଦୁଇ ସାଙ୍ଗ ଶ୍ରୀକାନ୍ତ ଏବଂ କାଳୁ ମହିଳାଙ୍କୁ ଦେଖି କୁଆଡେ ଯାଉଛ ବୋଲି ପଚାରିଥିଲେ। ମହିଳା ଜଣଙ୍କ ଥାନାକୁ ଯାଉଥିବା କହିବା ପରେ ଆମେ ଥାନାର ଷ୍ଟାଫ୍‌, ଥାନାକୁ ଯାଉଛୁ ଆସନ୍ତୁ ଛାଡ଼ି ଦେବୁ କହି ଅଟୋରେ ବସାଇଥିଲେ। ଏହାପରେ ଅଟୋ ଭିତରେ ମହିଳାଙ୍କ ପାଟିକୁ ବନ୍ଦ କରି ଅଟୋକୁ ଖଣ୍ଡଗିରି ଅଭିମୁଖେ ନେଇଥିଲେ। ବାଟସାରା ୩ଜଣ ମହିଳାଙ୍କୁ ଅସଦାଚରଣ କରିଥିଲେ। ମହିିଳାଙ୍କୁ ଖଣ୍ଡଗିରି ଥାନା ଆଇଗିଣିଆ ଫୁଲେଶ୍ୱରୀ ବସ୍ତି ଭିତରକୁ ନେଇ ଯାଇଥିଲେ। ହେଲେ ମହିଳା ଜଣଙ୍କ କୌଶଳକ୍ରମେ ଅଟୋରୁ ଡେଇଁପଡ଼ି ଚିକତ୍ାର କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟଲୋକେ ଦୌଡି ଆସିବାରୁ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିଲେ। ସୋମବାର ଏନେଇ ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ୩ଜଣଙ୍କୁ ଗିରଫ କରିଥିଲା।

Share