ମହିଳାଙ୍କୁ ଗଣବଳାତ୍କାର ଘଟଣା: ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୯।୧୨(ବ୍ୟୁରୋ) : ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଧୀନରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ହୋଇଥିବା ଗଣବଳାତ୍କାର ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା ଆଜି ଅର୍ଥାତ୍‌ ସୋମବାର କରାଯିବ। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଫାଷ୍ଟଟ୍ରାକ୍‌ କୋର୍ଟରେ ଆବେଦନ କରାଯିବ। ଏକ ସପ୍ତାହ ମଧ୍ୟରେ ସମସ୍ତ ରିପୋର୍ଟ ପ୍ରସ୍ତୁତ କରି ଚାର୍ଜଶିଟ୍‌ ଦାଖଲ କରିବ ବୋଲି ଅଇଁଠାପାଲି ଥାନା ପରିସରରେ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ବରେଇପାଲିର ଏକ ଦୋକାନ ନିକଟରୁ ମୁମୂର୍ଷୁ ଅବସ୍ଥାରେ ପୀଡ଼ିତାଙ୍କୁ ପୋଲିସ ଉଦ୍ଧାର କରି ବୁର୍ଲା ଭୀମସାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ସନ୍ଧ୍ୟାରେ ପୀଡ଼ିତାଙ୍କ ଚେତା ଫେରିବାରୁ ସେ ପୋଲିସକୁ ଘଟଣା ସମ୍ପର୍କରେ ବୟାନ ଦେବା ସହ ଗଣବଳାତ୍କାର ହୋଇଥିବା ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣ ଯୁବକଙ୍କୁ ଅଟକ ରଖିଥିବାବେଳେ ସମସ୍ତଙ୍କୁ ଆଜି ଗିରଫ କରିଛି।