ମହିଳାଙ୍କୁ ଗଣବଳାତ୍କାର ଘଟଣା:୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୦।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଇଁଠାପାଲି ଥାନା ଅଞ୍ଚଳର ଶିବ ଶଙ୍କର ନାଏକ(୨୫), ଡୋଲାମଣୀ ଭୋଇ (୩୦), ମହେଶ ସେଠ(୨୪), ଅକୁର ଛୁରିଆ (୨୨)। ଅଭିଯୁକ୍ତଙ୍କମାନଙ୍କୁ ଡାକ୍ତରୀ ମାଇନା ପରେ ପୋଲିସ କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ ଏକ ମାମଲା(ନଂ. ୫୫୭/୧୯) ରୁଜୁ ହୋଇଛି।
ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ବିତ କରାଯିବା ପାଇଁ କୋର୍ଟରେ ଅନୁରୋଧ କରାଯିବ। ପୋଲିସ ୨୦ ଦିନ ଭିତରେ ସମସ୍ତ ଦିଗରେ ତଦନ୍ତ କରି ଚାର୍ଜଶିଟ୍‌ ଦାଖଲ କରିବ। ଏହି ମାମଲାରେ ଡିଏସ୍‌ପି ସୁଜାତା ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଅଇଁଠାପାଲି ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ପୀଡିତାଙ୍କୁ ବୁର୍ଲା ଭୀମସାରରେ ଭେଟିଛନ୍ତି। ତାଙ୍କ ସହିତ ଅତିରିକ୍ତ ଏସ୍‌ପି ବିଜୟ ବରୁଆ, ଲିଗାଲ ଆଡଭାଇଜର ଅରବିନ୍ଦ ପଟ୍ଟନାୟକ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ,ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ଛକ ନିକଟ ଏକ ଦୋକାନ ପାଖରେ ରବିବାର ପୂର୍ବାହ୍ନ ୧୧ଟାରେ ଜଣେ ୩୭ ବର୍ଷୀୟା ମହିଳା ମୂର୍ମୂଷ ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଖବର ପାଇ ପୋଲିସ ସଂପୃକ୍ତା ମହିଳାଙ୍କୁ ଉଦ୍ଧାର କରି ଭୀମସାରରେ ଭର୍ତ୍ତିି କରିଥିଲା। ସନ୍ଧ୍ୟା ୬ ଟାରେ ପୀଡିତା ମହିଳାଙ୍କ ଚେତା ଫେରିଥିଲା। ପୋଲିସ ପଚରାଉଚୁରା କରିବାରୁ ତାଙ୍କୁ ଗଣ ବଳାତ୍କାର କରାଯାଇଥିବା ଜଣାପଡିଥିଲା। ସଂପୃକ୍ତା ମହିଳା ରବିବାର ରାତି ୧୨ ଟାରେ ରେମେଡ ନିକଟସ୍ଥ ଏକ ଦୋକାନ ପାଖରେ ଛିଡା ହୋଇଥିଲେ । ଜଣେ ଯୁବକ(ଶିବ ଶଙ୍କର) ତାଙ୍କ ପାଖକୁ ଆସି ତୁମକୁ ଘରେ ଛାଡି ଦେବି ବୋଲି କହିଥିଲେ। ଯୁବକଙ୍କ କଥାରେ ବିଶ୍ୱାସ କରି ସଂପୃକ୍ତ ମହିଳା ତାଙ୍କ ବାଇକରେ ଘରକୁ ଆସୁଥିଲେ। ହେଲେ ବାଟରେ ଥିବା ଏକ ନିଛାଟିଆ ସ୍ଥାନକୁ ସେ ନେଇଯାଇଥିଲେ। ସେଠାରେ ବଳାତ୍କାର କରିଥିଲେ। ପରେ ତାଙ୍କୁ ଆଉ ୩ ଜଣ ଯୁବକ ବଳାତ୍କାର କରିଥିଲେ। ଏପରି କି ଅଭିଯୁକ୍ତମାନେ ତାଙ୍କୁ ଜୋରଜବରଦସ୍ତ ନିଶା ଦ୍ରବ୍ୟ ସେବନ କରାଇ ଦେଇଥିଲେ। ବଳାତ୍କାର ପରେ ସମସ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ପୀଡିତା ବହୁ କଷ୍ଟରେ ଚାଲି ଚାଲି ଆସି ବରେଇପାଲି ଆସିଥିଲେ। ସେତେବେଳକୁ ଭୋର ହୋଇ ଆସୁଥିଲା। ଏହାପରଠୁ ତାଙ୍କର ଆଉ କିଛି ମନେ ନ ଥିବା ସଂପୃକ୍ତ ମହିଳା କହିଛନ୍ତି।
ଏସ୍‌ପି ସିଂଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ଶିବଶଙ୍କରଙ୍କୁ ତାଙ୍କୁ ଘରୁ ଗିରଫ କରିଥିଲା। ପରେ ଶିବଙ୍କୁ ଜେରା କରିବା ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ପୀଡିତାଙ୍କୁ ଜୋରଜବରଦସ୍ତ ନିଶାଦ୍ରବ୍ୟ ସେବନ କରାଯାଇଥିବାରୁ ତାଙ୍କ ଚେତା ଫେରିବାରେ ବିଳମ୍ବ ହୋଇଥିଲା ବୋଲି ପୋଲିସ କହିଛି। ଏହି ଘଟଣା ପରେ ଜିଲାସାରା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସଙ୍ଗଠନ ଓ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ପୀଡିତାଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରାଯାଇଛି ା

Share