ମହିଳାଙ୍କୁ ଗଣବଳାତ୍କାର ଘଟଣା: ୩ ଅଭିଯୁକ୍ତ ଗିରଫ

ଜଳେଶ୍ୱର,୨୯।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳରେ ଗତ ୧୭ ତାରିଖରେ ଜଣେ ମହିଳାଙ୍କୁ ରାସ୍ତାରୁ ଟେକି ନେଇ ଗଣବଳାତ୍କାର ଘଟଣାରେ ପୋଲିସ ଉଦାସୀନ ରହିଥିବା ଅଭିଯୋଗ ହୋଇଥିଲା। ପରେ ଗ୍ରାମବାସୀଙ୍କ ଚାପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି। ଉଲ୍ଲେଖନୀୟ ଯେ, ପୀଡ଼ିତା ମହିଳା ନିଜର ୪ ପିଲାଙ୍କ ସହ ବାପଘରେ ରହନ୍ତି। ଗତ ୧୭ ତାରିଖରେ ରାଇବଣିଆ ଅଞ୍ଚଳରେ ବାକିଥିବା ମଜୁରୀ ଟଙ୍କା ଆଣିବା ପାଇଁ ଜଣେ ପୁରୁଷ ବନ୍ଧୁଙ୍କ ସହ ସାଇକେଲରେ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ରାସ୍ତାରେ ୫ ଜଣ ଯୁବକ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବା ବେଳେ ମହିଳାଙ୍କ ସାଙ୍ଗରେ ଥିବା ପୁରୁଷ ବନ୍ଧୁ ଜଣଙ୍କ ସାଇକେଲ ଛାଡ଼ି ପଳାଇ ଯାଇଥିଲେ। ମହିଳା ଜଣଙ୍କ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରି ତଳେ ପଡ଼ି ଯାଇଥିଲେ। ଯୁବକମାନେ ତାଙ୍କୁ ସେଠାରୁ ଟେକି ନେଇଯାଇ ଏକ ନିଛାଟିଆ ଜାଗାରେ ବଳାତ୍କାର କରିଥିଲେ। ଏକଥା ବାହାରେ ପ୍ରଘଟ କଲେ ଜୀବନରୁ ମାରିଦେବେ ବୋଲି ସେମାନେ ମହିଳାଙ୍କୁ ଧମକ ଦେଇଥିଲେ। ପରେ ପୀଡ଼ିତା ମହିଳାଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା(ନଂ. ୫/୨୦) ରୁଜୁ କରିଥିଲା। ଗିରଫ ୩ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

Share