ମହିଳାଙ୍କୁ ଗୁଳିକରି ହତ୍ୟା: ତଦନ୍ତ ଆରମ୍ଭ

ଝାରସୁଗୁଡ଼ା ଅଫିସ/ଲଖନପୁର,୨୭।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଥାନା ଅଧୀନ ସାରସମାଲ ରୋହିଦାସ ପଡ଼ାରେ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ କନକଲତା ରୋହିଦାସ(୩୫)। ଖବର ପାଇ ଝାରସୁଗୁଡା ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ, ଆଇଆଇସି ସାବିତ୍ରୀ ବଳ ସନ୍ଧାନୀ କୁକୁର ଓ ଏକ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତେବେ ମହିଳାଙ୍କୁ କିଏ ଓ କାହିଁକି ଗୁଳି ମାରି ହତ୍ୟା କରିଛି, ତାହା ସ୍ପଷ୍ଟ ହୋଇନାହିଁ। ମୃତାଙ୍କ ସ୍ବାମୀ ସାନନ୍ଦ ରୋହିଦାସଙ୍କ କହିବା ଅନୁଯାୟୀ, ରାତିରେ ସମସ୍ତେ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ସେ ଉଠିଲାବେଳେ କନକଲତାଙ୍କ ଛାତିରେ ଗୁଳିବାଜି ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାହାରେ ପଡିଥିବା ଦେଖିବାକୁ ପାଇଥିଲେ। ତେବେ ତାଙ୍କୁ ଗୁଳି କିଏ ମାରିଲା ସେ ସମ୍ପର୍କରେ କିଛି ଜାଣି ନ ଥିବା ସାନନ୍ଦ କହିଛନ୍ତି।