ମହିଳାଙ୍କୁ ଛୁଇଁ ଜରିମାନା ଦେଲେ ଭାରତୀୟ

ସିଙ୍ଗାପୁର,୪।୯: ସିଙ୍ଗାପୁରର ଏକ ଚର୍ଚ୍ଚରେ ଜଣେ ମହିଳାଙ୍କୁ ଛୁଇଁବା ଭାରତୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ୨୭ ବର୍ଷୀୟ ଭାରତୀୟ ମୂଳବାସିନ୍ଦା ଯୁବକଙ୍କୁ ୫ ଦିନ ଜେଲ୍‌ ଓ ୨,୫୦୦ ଡଲାର(ପ୍ରାୟ ଦେଢ଼ ଲକ୍ଷ ଟଙ୍କା) ଜରିମାନା ଦେବାକୁ ପଡ଼ିଛି। ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୨୯ରେ ଦ୍ୱିପ୍ରହରରେ ରାଜେନ୍ଦ୍ରନ ପ୍ରକାଶ ନାମକ ବ୍ୟକ୍ତି ‘ଅର୍‌ ଲେଡି ଲୁର୍ଡସ’ ଚର୍ଚ୍ଚରେ ନିଶାଗ୍ରସ୍ତ ଅବସ୍ଥାରେ ପହଞ୍ଚିଥିଲେ। ସେଠାରେ ସେ ଜଣେ ମହିଳାଙ୍କୁ ଛୁଇଁବା ସହ ଆଲିଙ୍ଗନ କରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ରାଜେନ୍ଦ୍ରନଙ୍କୁ ଉକ୍ତ ମହିଳାଙ୍କଠାରୁ ଦୂରେଇ ଯିବାକୁ କହିଥିଲେ। ହେଲେ ସେ ସେମାନଙ୍କ କଥାକୁ କର୍ଣ୍ଣପାତ ନ କରି ହଙ୍ଗାମା କରିଥିଲେ। ଏହାପରେ ଗ୍ଲୋଡିଷ୍ଟନ ନାମକ ଜଣେ ବ୍ୟକ୍ତି ରାଜେନ୍ଦ୍ରନଙ୍କୁ ଚାପୁଡ଼ା ମାରି କାବୁ କରିବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଥିଲା। ତେବେ ସ୍ଥାନୀୟ କୋର୍ଟ ଏବେ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି।

Share