ମହିଳାଙ୍କୁ ନିଶା ଦେଇ ବଳାତ୍କାର, ବ୍ଲାକ୍‌ମେଲ୍‌ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ଭୁବନେଶ୍ୱର, (ବ୍ୟୁରୋ)/ପୁରୀ ଅଫିସ, ୨୩।୭: ପୁରୀର ଜଣେ ମହିଳାଙ୍କୁ ପାଣିରେ ନିଶା ଦେଇ ଭୁବନେଶ୍ୱରର ଏକ ହୋଟେଲରେ ବଳାକତ୍ାର କରିବା ଓ ପରେ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକ୍‌ମେଲିଂ କରିବା ଘଟଣାର ଅଭିଯୁକ୍ତଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଛି। ସେ ହେଲେ ପୁରୀ ପୋଲିସ ଲାଇନ ଅଞ୍ଚଳର ବିଶ୍ୱଜିତ୍‌ ପଟ୍ଟନାୟକ। ୨୦୧୮ରେ ପୀଡ଼ିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ବିଶ୍ୱଜିତଙ୍କୁ ଗିରଫ କରି ନ ଥିଲା। ଗତ ଜୁନ୍‌ ୨୬ରେ ହାଇକୋର୍ଟ ଆସନ୍ତା ୨୫ତାରିଖ ମଧ୍ୟରେ ଉକ୍ତ ମାମଲାର ତଦନ୍ତ ରିପୋର୍ଟ ଦେବାକୁ ଖଣ୍ଡଗିରି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରବିବାର ରାତିରେ ଖଣ୍ଡଗିରି ପୋଲିସ ପୁରୀ ଯାଇ ବିଶ୍ୱଜିତଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସି ଦଫା ୩୭୬, ୩୮୪, ୫୦୬ ଓ ୩୪ ଅନୁଯାୟୀ କେସ୍‌ ନଂ. ୩୭୨/୧୮ ରୁଜୁ କରିଛି। ସୋମବାର ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ ଜାମିନ୍‌ ନାମଞ୍ଜୁର ହେବାରୁ ବିଶ୍ୱଜିତଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କୁ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳର ଏକ ହୋଟେଲରେ ବଳାତ୍କାର କରିଥିଲେ। ବଳାତ୍କାର ସମୟର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇ ଏକାଧିକ ଥର ବଳାତ୍କାର କରିଥିଲେ। ଗତବର୍ଷ ଅଗଷ୍ଟ ୨୩ରେ ପୀଡ଼ିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ ବିଶ୍ୱଜିତଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କ ନାମ ଉଲ୍ଲେଖ କରିଥିଲେ। ଏନେଇ ଧରିତ୍ରୀରେ ୨୧ ଫେବୃୟାରୀ ୨୦୧୯ରେ ଏକ ଖବର ପ୍ରକାଶ ପାଇଥିଲା।

Share