ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ମାମଲା: ଦୋଷୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୧୯।୧୨-ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର କରି ଗୁରୁବାର ବାଲେଶ୍ୱର ଜିଲା ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁବାଷ କୁମାର ବେହାରି ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୭ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୧ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
୨୦୧୭ ଜାନୁୟାରୀ ୧ତାରିଖରେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଶଶିଧର ମଣ୍ଡଳ (୩୫) ତାଙ୍କ ସମ୍ପର୍କୀୟ ମାଇଁଙ୍କ ଘରକୁ ଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଶଶିଧର ତାଙ୍କୁ ମାଇଁଙ୍କୁ ବଳାତ୍କାର କରିଥିଲେ। ମହିଳା ଜଣକ ନିଜର ସମ୍ମାନ ବଞ୍ଚାଇବା ପାଇଁ ଉକ୍ତ ଘଟଣାକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଥିବା ବେଳେ ଶଶିଧର ତାଙ୍କ ସ୍ବାମୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଦେବା ସହ ସର୍ବସାଧାରଣରେ ପ୍ରକାଶ କରିବାକୁ ଧମକ ଦେଇଥିଲେ। ଲୋକଲଜ୍ଜାକୁ ଡରି ମହିଳା ଜଣକ ୨୦୧୭ ଏପ୍ରିଲ ୪ ତାରିଖରେ କିରୋସିନି ଢ଼ାଳି ନିଆଁ ଲଗାଇ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ତତ୍କାଳୀନ ଡାକ୍ତରଖାନା ଫାଣ୍ଡି ଏଏସ୍‌ଆଇ ବିଶ୍ୱମ୍ଭର ଚକ୍ରବର୍ତ୍ତୀ ତଦନ୍ତ କରୁଥିବା ବେଳେ ମହିଳାଜଣଙ୍କ ତାଙ୍କ ଭଣଜା ଶଶିଧର ଏଭଳି ଧମକ ଦେଉଥିବାରୁ ସେ ଆମତ୍ହତ୍ୟା ଉଦ୍ୟମ କରିଥିବା ମୃତ୍ୟୁକାଳୀନ ଜମାନବନ୍ଦୀରେ ପ୍ରକାଶ କରିଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁକାଳୀନ ଜମାନବନ୍ଦୀକୁ ଭିତ୍ତି କରି ଏଏସ୍‌ଆଇ ଚକ୍ରବର୍ତ୍ତୀ ଶିଳ୍ପାଞ୍ଚଳ ଥାନାରେ ଏପ୍ରିଲ ୬ ତାରିଖରେ ଏକ ହତ୍ୟା ମାମଲା (ନଂ. ୪୧/୨୦୧୭) ରୁଜୁ କରିଥିଲେ। ମୃତ୍ୟୁକାଳୀନ ଜମାନବନ୍ଦୀ, ୧୬ଜଣ ସାକ୍ଷ୍ୟଙ୍କ ବୟାନ ଓ ୧୮ ଦସ୍ତାବିଜ୍‌ ଅନୁଯାୟୀ ବିଚାରପତି ଏହି ଦଣ୍ଡାଦେଶ ଦେଇଛନ୍ତି। ଉକ୍ତ ମାମଲାରେ ସରକାରଙ୍କ ପକ୍ଷରୁ ଆଇନ୍‌ଜୀବୀ ଦୀପକ କୁମାର ଦାସ ପରିଚାଳନା କରୁଥିଲେ।