ମହିଳାଙ୍କୁ ମରଣାନ୍ତକ ଆକ୍ରମଣ: ଶାଶୁ, ଶ୍ୱଶୁର, ଦିଅରଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

କୋରେଇ,୨୧।୧୧ (ସ୍ବ.ପ୍ର.): ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଞ୍ଚାୟତର ତାଜପୁର(ଗୋବିନ୍ଦପୁର) ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିଅରଙ୍କ ଆକ୍ରମଣରେ ଭାଉଜ ଚେତାଶୂନ୍ୟ ହେବା ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ଶାଶୁ, ଶ୍ୱଶୁର ଓ ଦିଅରଙ୍କୁ ଗ୍ରାମରାସ୍ତାରେ ଚଲାଇଚଲାଇ ନେଇ ପୋଲିସ ଜିମା ଦେଇଛନ୍ତି। ପୋଲିସ ଥାନାରେ ୩ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରକାଶ ଯେ, ତାଜପୁର ଗ୍ରାମର କାଳନ୍ଦୀ ସ୍ବାଇଁଙ୍କ ପରିବାରେ ଦୀର୍ଘଦିନ ଧରି ପାରିବାରିକ କଳହ ଲାଗି ରହିଥିଲା। ଯେଉଁଥିପାଇଁ ବଡ଼ପୁଅ ଜୟୀରାମ ଓ ବୋହୁ ସରୋଜିନୀ ଅଲଗା ହୋଇ ରହୁଥିଲେ। ଏପରି କି ପୂର୍ବରୁ ଗ୍ରାମର କେତେଜଣ ଭଦ୍ର ଲୋକଙ୍କ ଜରିଆରେ ଘଟଣାର ସମାଧାନ କରାଯାଇଥିଲା। ତେବେ ଗତ ସୋମବାର ସକାଳେ ଏହି ପାରିବାରିକ କଳହ ଗଣ୍ଡଗୋଳର ରୂପ ନେଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ସରୋଜିନୀଙ୍କ ମାଡ଼ରେ ଶାଶୁ,ଶ୍ୱଶୁର ଓ ଦିଅର ଗୁରୁତର ହୋଇଥିବା ନେଇ ଥାନାରେ ଗୋଟିଏ ଅଭିଯୋଗ ହୋଇଥିଲା। ଅପରପକ୍ଷେ ସରୋଜିନୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଶାଶୁ, ଶ୍ୱଶୁର ଓ ଦିଅରଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ। ସରୋଜିନୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୨୨୬/୧୯) ରୁଜୁକରି ତଦନ୍ତ ଚଳାଇଥିଲା। ଆଉ ଏଥିରେ ଉତ୍‌କ୍ଷୀପ୍ତ ହୋଇ ବୁଧବାର ସକାଳେ ଦିଅର ମହେନ୍ଦ୍ର ଭାଉଜ ସରୋଜିନୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସରୋଜିନୀ ଚେତାଶୂନ୍ୟ ହୋଇପଡିଥିଲେ। ଦୀର୍ଘ ସମୟଧରି ଚେତାଶୂନ୍ୟ ଅବସ୍ଥାରେ ସରୋଜିନୀ ଦାଣ୍ଡ ଦୁଆରେ ପଡିଥିବାବେଳେ ମହେନ୍ଦ୍ର ଏକ ଠେଙ୍ଗାଧରି ସେଠାରେ ଜଗି ବସିଥିଲେ। ଏହାଦେଖି ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ସରୋଜିନୀଙ୍କୁ ମେଡ଼ିକାଲ ପଠାଇଥିଲେ। ଏଥିସହ ମହେନ୍ଦ୍ରଙ୍କୁ ଘର ନିକଟରେ ଥିବା ଟ୍ରାକ୍ଟର ଲଙ୍ଗଳରେ ବାନ୍ଧି ଦେଇଥିଲେ। ଖବର ପାଇ ବାପା କାଳନ୍ଦୀ ସେଠାରେ ପହଞ୍ଚତ୍ଥିଲେ। ଗ୍ରାମବାସୀ ବାପ ଓ ପୁଅଙ୍କୁ ବାନ୍ଧିବା ସହ ମା’ଙ୍କୁ ଧରି ରାସ୍ତାରେ ଚଲାଇଚଲାଇ ଥାନାକୁ ଆଣିବା ବାଟରେ ପୋଲିସ ପହଞ୍ଚତ୍ବାରୁ ଗ୍ରାମବାସୀ ସେମାନଙ୍କୁ ପୋଲିସ ଜିମା ଦେଇଥିଲେ।

Share