ମହିଳାଙ୍କୁ ଯୌନ ଶୋଷଣ, ବ୍ଲାକମେଲିଂ ଅଭିଯୋଗ: କନଷ୍ଟେବଳ କୋର୍ଟଚାଲାଣ

ସାକ୍ଷୀଗୋପାଳ, ୧୭।୧୦(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ଜନୈକା ବିବାହିତା ମହିଳାଙ୍କୁ ଯୌନ ଶୋଷଣ ଓ ବ୍ଲାକମେଲିଂ ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳଙ୍କୁ ବୁଧବାର ଗିରଫ କରାଯାଇଥିଲା। ସେ ହେଲେ ଗଙ୍ଗାଧର ରାଉତ। ଗଙ୍ଗାଧର ନିମାପଡ଼ା ଥାନାରେ ସହକାରୀ ଡ୍ରାଇଭର ଭାବେ କାମ କରନ୍ତି। ତାଙ୍କୁ ସତ୍ୟବାଦୀ ଥାନାରୁ ପୁରୀ କୋର୍ଟକୁ ଶୁକ୍ରବାର ଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଗଙ୍ଗାଧର ସତ୍ୟବାଦୀ ଥାନାରେ କାମ କରିବା ସମୟରେ ମହିଳାଙ୍କୁ ଏକ ମାମଲାରେ ସହାୟତା ଯୋଗାଇ ଦେବାକୁ କହି ତାଙ୍କ ସହ ସମ୍ପର୍କ ରଖିଥିଲେ। ପରେ ବ୍ଲାକ୍‌ମେଲିଂ କରି ତାଙ୍କଠାରୁ ୮୦ହଜାର ଟଙ୍କା ନେଇଥିଲେ। ମହିଳା ଟଙ୍କା ମାଗିବାରୁ ଗଙ୍ଗାଧର ତାଙ୍କୁ ମାରଧର କରିଥିଲେ। ଏ ନେଇ ଗତ ବର୍ଷ ଥାନାରେ ଅଭିଯୋଗ ହୋଇଥିଲା। ମାତ୍ର ପୋଲିସ କୌଣସି ପଦକ୍ଷେପ ନ ନେବାରୁ ସେ ପୁରୀ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।