Categories: ଭଦ୍ରକ

ମହିଳାଙ୍କୁ ସ୍ବାବଲମ୍ବୀ କରିବ ଗେଣ୍ଡୁ ଚାଷ

ବନ୍ତ,୧୫।୯(ସ୍ବ.ପ୍ର.)- ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ସହିତ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୟାସ ଜାରି ରହିଛି। ଭଦ୍ରକ ଜିଲା ପ୍ରଶାସନ ଓ ଉଦ୍ୟାନ କୃଷି ବିଭାଗର ମିଳିତ ସହଯୋଗରେ ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଶନିବାର ବନ୍ତ ବ୍ଲକ ଆଗରପଡ଼ା ସିଡ୍‌ ଫାର୍ମ ସେଉଳଗଢ଼ିଆଠାରେ ଗେଣ୍ଡୁଫୁଲ ଚାଷ ଆରମ୍ଭ ହୋଇଛି। ଆଦିବାସୀ ଉପତ୍ାଦିକା ଗୋଷ୍ଠୀ ଦ୍ୱାରା ଏଠାରେ ୪୦ ହଜାର ଗେଣ୍ଡୁ ଚାରାରୋପଣ କରାଯାଇଛି। ଫାର୍ମର ପୋଖରୀ ହୁଡାକୁ ଲିଜ୍‌ ସୂତ୍ରରେ ନେଇ ଏହି ଚାଷ କରାଯାଇଥିବା ଜଣାଯାଇଛି।
ବଡ଼ବର୍ଚ୍ଚିକୟଁା ପଞ୍ଚାୟତର ମାତୃଶକ୍ତି ମହାସଂଘ ତତ୍ତ୍ୱାବଧାନରେ ୩ଟି ସ୍ବୟଂସହାୟିକା ଗୋଷ୍ଠୀ ମାଛଚାଷ କରିବା ସହ ପୋଖରୀ ହୁଡ଼ାରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଛନ୍ତି। ଜୀବିକା ମିଶନରୁ ୧ ଲକ୍ଷ ଟଙ୍କା ଓ ବ୍ୟାଙ୍କରୁ ଋଣ ଆଣି କଲିକତାରୁ ବିଭିନ୍ନ କିସମର ଚାରା ଅଣାଯାଇ ଏହି ଗଛ ଲଗାଯାଇଛି। ଜୀବିକା ମିଶନର ବିପିଏମ୍‌ ସସ୍ମିତା ଦାଶଙ୍କ ପରିଚାଳନାରେ ବିଡିଓ ରେବେକା ବିଲୁଙ୍ଗ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ଆଗ୍ରୋନୋମିଷ୍ଟ ଉଦିତ୍‌ ରାୟ, ବ୍ଲକ ସହ କୃଷି ଅଧିକାରୀ ରମେଶ ରାୟ ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପ୍ରକଳ୍ପରେ ୪ ଲକ୍ଷ ୧୬ ହଜାର ଟଙ୍କା ବିନିଯୋଗ କରାଯାଇଥିବା ବେଳେ ଉପତ୍ାଦିତ ଫୁଲ ବିକ୍ରି କରି ୯ ଲକ୍ଷ ଟଙ୍କା ମିଳିବ ବୋଲି ଉତ୍ପାଦିକା ଗୋଷ୍ଠୀ ଆଶା ପୋଷଣ କରିଥିବା କହିିଛନ୍ତି। ଏହି ଅବସରରେ ଉପସ୍ଥିତ ମହିଳାମାନଙ୍କୁ ଚାରାଗୁଡ଼ିକର ଯତ୍ନ ଓ ପରିଚାଳନା ବିଷୟରେ ସଚେତନ କରାଯାଇଥିଲା। ମାତୃଶକ୍ତି ମହାସଂଘର ସଭାନେତ୍ରୀ କଳ୍ପନା ଜେନା, ସମ୍ପାଦିକା ସୁଦୀପ୍ତି ସିଂ, ଦକ୍ଷ ନଥିପତ୍ର ପରିଚାଳିକା ରଶ୍ମିତା ସେଠୀଙ୍କ ସହ ଗୋଷ୍ଠୀର ମହିଳାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।