ମହିଳାଙ୍କ ଆତ୍ମହତ୍ୟା: ମୃତ୍ୟୁର କାରଣ ଅସ୍ପଷ୍ଟ

ଡାବୁଗାଁ,୨୨।୯ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ କେରଣ୍ଡୀ ଗ୍ରାମରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଶନିବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ଭଦର ମାଝିଙ୍କ ସ୍ତ୍ରୀ ରୂପମା (୩୪) ।
ସୂଚନାଯୋଗ୍ୟ: ଘରେ କେହି ନ ଥିବା ବେଳେ ରୂପମା ରଶି ଲଗାଇ ଥିଲେ। ପୁଅ ଗୋପ କିଛି ସମୟ ଘରକୁ ଫେରି ମା’ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ସ୍ବାମୀ ଭଦର ମାଝି ମାଲକାନଗିରିରେ କୁଲି କାମ କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଖବର ଦେଇଥିଲେ। ଖବର ପାଇ ସେ ରାତିରେ ଆସି ଘରେ ପହଞ୍ଚିଥିଲେ। ପରେ ପରିବାର ପକ୍ଷରୁ ଡାବୁଗାଁ ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରିି ରବିବାର ସକାଳେ ଶିଂସାରି ଫାଣ୍ଡି ଅଧିକାରୀ ଠଣ ସୁନ୍ଦର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ କେସ ନଂ ୩୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Share