ମହିଳାଙ୍କ ଉନ୍ମତ୍ତକାଣ୍ଡ: ତଣ୍ଟିଚିପି ବୃଦ୍ଧାଙ୍କୁ ହତ୍ୟା

ନୂଆଗାଁ, ୯।୯(ଡି.ଏନ.ଏ) :ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ କୋକେରମା ପଞ୍ଚାୟତର କରଞ୍ଜିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ମହିଳା ସୁମିତ୍ରା ତୁରୀ (୨୫) ପଡ଼ୋଶୀ ବୃଦ୍ଧା ସୁଗନ ତୁରୀ (୬୦)ଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ହାତୀବାରି ଥାନା ଅଧିକାରୀ ଶ୍ୟାମଲାଲ ଓରାମ ସଦଳବଳ ରବିବାର ସକାଳେ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
ସୁଗନ ଶନିବାର ବିଳମ୍ବିତ ରାତିରେ ଘରୁ କୌଣସି କାମରେ ବାହାରକୁ ବାହାରିଥିଲେ। ଏହି ସମୟରେ ସୁମିତ୍ରା ମଧ୍ୟ ବାହାରକୁ ବାହାରିଥିଲେ। ସୁଗନଙ୍କୁ ଦେଖି ତାଙ୍କ ଆଡ଼କୁ ଦୌଡ଼ି ଯାଇ ତାଙ୍କୁ ଧକ୍କା ଦେଇଥିଲେ। ସୁଗନ ତଳେ ପଡ଼ିଯିବା ପରେ ସୁମିତ୍ରା ତାଙ୍କ ଛାତି ଉପରେ ମାଡ଼ିବସି ତଣ୍ଟିକୁ ଚିପି ଦେଇଥିଲେ। ଏପରି କି ସୁଗନଙ୍କ ବେକ ଓ ଆଖିକୁ କାମୁଡ଼ି ରକ୍ତାକ୍ତ କରି ପକାଇଥିଲେ। ଘଟଣାସ୍ଥଳରେ ହିଁ ସୁଗନଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଦେଖିଥିବା ପଡ଼ୋଶୀ ଏ ନେଇ ରବିବାର ଭୋର ସମୟରେ ଗାଁ ଲୋକଙ୍କୁ କହିଥିଲେ। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିଲା ପରେ ସୁମିତ୍ରାଙ୍କ ଘରକୁ ଯାଇ ତାଙ୍କୁ ଗୋଟିଏ କୋଠରୀରେ ତାଲାମାରି ବନ୍ଦ କରିଥିଲେ। ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସୁଗନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୁମିତ୍ରାଙ୍କୁ ଗିରଫ କରିଛି।
ପୋଲିସର କହିବାନୁଯାୟୀ କିଛି ଦିନ ହେବ ସୁମିତ୍ରାଙ୍କ ମସ୍ତିଷ୍କ ବିକୃତ ଥିବା ଗାଁ ଲୋକଙ୍କଠାରୁ ଜଣାପଡ଼ିଛି। ସେ ପୂର୍ବରୁ ଦୁଇ ଜଣଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଲୋକେ କହିଛନ୍ତି। ପଚରାଉଚରା କରିବାରୁ ସୁମିତ୍ରା ହତ୍ୟା କରିଥିବା ନେଇ ସ୍ବୀକାର କରିଥିବା ପୋଲିସ କହିଛି। ଏନେଇ ହାତୀବାରି ଥାନାରେ ଏକ ହତ୍ୟା ମାମଲା (ନଂ.୫୭/୧୯) ରୁଜୁ ହୋଇଛି।