Categories: ଖେଳ

ମହିଳାଙ୍କ ଉପରେ ବାସନ୍ଦ ଲାଗିବା ପ୍ରସଙ୍ଗ:  ଇରାନ ଗସ୍ତ କରିବେ ଫିଫା ପ୍ରତିନିଧି

ଲୌସାନ୍ନେ,୧୨।୯(ଏଏଫ୍‌ପି): ଇରାନରେ ମହିଳା ପ୍ରଶଂସକଙ୍କୁ ଫୁଟ୍‌ବଲ ଷ୍ଟାଡିୟମ ମଧ୍ୟକୁ ପ୍ରବେଶକୁ ବାରଣ ରହିଛି। ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ଫିଫା ପକ୍ଷରୁ ପ୍ରତିନିଧି ମଣ୍ଡଳି ପଠାଯିବ। ଗତ ସପ୍ତାହରେ ଇରାନିଆନ ମହିଳା ପ୍ରଶଂସକ କୋର୍ଟ ବାହାରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ପରେ ଫିଫା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଉକ୍ତ ପ୍ରଶଂସିକା ଗତ ବର୍ଷ ପୁରୁଷଙ୍କ ଭଳି ପୋଷାକ ପିନ୍ଧି ତେହରାନ ଷ୍ଟାଡିୟମ୍‌ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ଗିରଫ ହୋଇଥିଲେ। ତାଙ୍କୁ କୋର୍ଟ ୬ ମାସ ପାଇଁ ଜେଲ ଦଣ୍ଡ ଦେଇଥିଲା। ତେବେ ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା କେବେ ପ୍ରତିନିଧି ମଣ୍ଡଳି ପଠାଇବ, ତାହା ସ୍ପଷ୍ଟ କରିନାହିଁ। ୨୦୧୮ ବିଶ୍ୱକପ୍‌ ମୁଖ୍ୟ ପର୍ଯ୍ୟାୟରେ ଖେଳିଥିବା ଇରାନ ଅକ୍ଟୋବର ୧୦ ତାରିଖରେ କମ୍ବୋଡିଆ ବିପକ୍ଷରେ ପରବର୍ତ୍ତୀ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ମହିଳା ଫ୍ୟାନମାନେ ଉପଭୋଗ କରିପାରିବେ ବୋଲି ଦେଶର କ୍ରୀଡ଼ା ମନ୍ତ୍ରାଣାଳୟ ପକ୍ଷରୁ ଗତ ଅଗଷ୍ଟରେ ଘୋଷଣା କରାଯାଇଥିଲା। ତେବେ ଫିଫା ପକ୍ଷରୁ ଚାପ ପ୍ରୟୋଗ କରାଯାଇଥିଲା। ଏଥିନେଇ ହୋଇଥିବା ପ୍ରସ୍ତୁତିକୁ ୩ ଜଣିଆ ପ୍ରତିନିଧି ମଣ୍ଡଳି ଯାଞ୍ଚ କରିବା ସହ ଇରାନ ଫୁଟ୍‌ବଲ ମହାସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ବୋଲତ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ଦେଶର କର୍ମକର୍ତ୍ତାଙ୍କ ସହ ଫିଫା ପ୍ରତିନିଧିଙ୍କ ଆଲୋଚନା କରିବେ କି ନାହିଁ, ତାହା ସ୍ପଷ୍ଟ କରାଯାଇ ନାହିଁ। ଉଲ୍ଲେଖଥାଉ କି, ୧୯୮୧ଠାରୁ ଦେଶର ମହିଳାଙ୍କ ଉପରେ ଫୁଟ୍‌ବଲ ଓ ଅନ୍ୟ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିବା ନେଇ କଟକଣା ଲଗାଯାଇଛି।

Share